Unknown

 

 

 

 

 

 

 

 

 

 

 

ହଂସଧ୍ୱନି

ଡକ୍ଟର ବିଧୁପ୍ରଭା ରଥ

 

ଭାସ୍‌କର ଭାଇନା ! ତମେ ଆମ ସମୟର ଦୁର୍ବଳ, ଅସହାୟ ମଣିଷମାନଙ୍କର ଯେପରି ଭାବେ ସାଥୀ-ସଙ୍ଗାତ ଓ ସତୀର୍ଥ, ସେହିପରି ଭ୍ରଷ୍ଟାଚାରୀ, ଦାମ୍ଭିକ, ଔଦ୍ଧତ୍ୟପୂର୍ଣ୍ଣ ଅହଂକାରୀମାନଙ୍କ ବିରୁଦ୍ଧରେ ଏକ ଦୁର୍ବାର ଝଡ଼ !

 

ତମେ ପୁଣି ଉତ୍ତର ଆଧୁନିକ ଓଡ଼ିଶା କଥାସାହିତ୍ୟ ଓ ସାମ୍ୱାଦିକତାର ଜଣେ ମହାଭାଷ୍ୟକାର । ତମରି ଭିତରେ ମୁଁ ଲକ୍ଷ୍ୟ କରିଛି ନୀରବ ନିଭୃତ ସାରସ୍ୱତ ସାଧନା, ଯୋଗୀର ଅନାସକ୍ତ ତପସ୍ୟା, ଶିଳ୍ପୀର ଜୀବନ ପ୍ରମତ୍ତ ସମ୍ୱେଦନଶୀଳତା, ବିପ୍ଳବୀର ସମାଜ ସେଚେତନ ପୁରୋଦୃଷ୍ଟି ଏବଂ ପ୍ରାପ୍ତି ପ୍ରତ୍ୟାଶାହୀନ ନିଃସଙ୍ଗତାର ଦୁର୍ବିସହତାକୁ ବେଖାତିର । ତମେ ତ ଆମ ସମୟର ଏକା ଏକା ‘ଏକଲବ୍ୟ’ ପୁଣି ବେଳେ ବେଳେ ‘ଅଭିମନ୍ୟୁ’ । ତଥାପି ତମ ସୃଷ୍ଟି କର୍ମ ପ୍ରଖର.....ମୁଖର ଏବଂ ଆନନ୍ଦମୟ ।

 

ତମରି ହାତରେ ଏଇ ‘ହଂସଧ୍ୱନି’ ସମର୍ପଣ କରୁଛି.....

 

ଶ୍ରୀପଞ୍ଜମୀ

ବିଧୁପ୍ରଭା

୧୧.୦୨.୨୦୦୮

 

ଛତ୍ରପୁର

 

Image

 

କୃତଜ୍ଞତା

 

ସମୟର ଶଙ୍ଖନାଦ କାବ୍ୟାଲୋକ, ଗୋକର୍ଣ୍ଣିକା, ଚଲାପଥ, ସାନନ୍ଦା, ନବରବି, ପରିଚୟ, ସ୍ପର୍ଶ, ଅପୂର୍ବା, ନବଲିପି, ଅଦ୍ୱିତୀୟା, କସ୍ତୁରୀ, ଆମ ସମୟର ଅସ୍ମିତା, ଅନୁପୂର୍ବା, ସାହିତ୍ୟ ଦର୍ପଣ, ଯୁଗାନ୍ତର, ସୂତ୍ରଧର, କବିତା କଳ୍ପଲିପି, ଓକିନି, ବିବର୍ତ୍ତନ, ବିଭାବନା, ଉନ୍ମେଷ, ସହକାର, ଶର୍ମିଷ୍ଠା, ଭୂମି ସମାଜ ସାପ୍ତାହିକୀ ଓ ସ୍ମୃତିଲିପି ।

 

ଏହି ସକଳ ପ୍ରତ୍ରିକାଗୁଡ଼ିକରେ ‘ହଂସଧ୍ୱନି’ରେ ସ୍ଥାନିତ କବିତାଗୁଡ଼ିକ ଗତ କୋଡ଼ିଏ ବର୍ଷ ମଧ୍ୟରେ ପ୍ରକାଶ ପାଇଥିଲା । ମୁଁ ସମସ୍ତ ସମ୍ପାଦକ ଓ ସମ୍ପାଦିକାମାନଙ୍କୁ ‘ହଂସଧ୍ୱନି ପ୍ରକାଶକାଳରେ କୃତଜ୍ଞତା ଜ୍ଞାପନା କରୁଛି ।

Image

 

ମୁଖଶାଳା

 

ପ୍ରେମ ସବୁବେଳେ ପ୍ରାର୍ଥନା, କବିତା ସବୁବେଳେ ଆକାଶ । ସେଥିପାଇଁ କଢ଼ରୁ ପୁଲକିତ ମୁହୂର୍ତ୍ତକୁ ମୁକୁଳିବାକୁ, ଫୁଲଟିଏ ହୋଇ ସୁଗନ୍ଧ ବିତରଣ କରିବାକୁ କେତେ ସମୟ ଲାଗେ କି ? ରାତିଟିଏ ତ ! କବିତାର ବିଭୋରପଣ, ମୃଗନାଭି ବାସ୍ନାକୁ ଶବ୍ଦର ଚିତ୍ରପଟ୍ଟରେ ତୋଳି ରଖିବାର ଅନାଘ୍ରାତ ଇଚ୍ଛା ହିଁ ବାରମ୍ୱାର କବିତାକୁ ଜନ୍ମଦିଏ । ତେଣୁ ଭିଜା ଭିଜା ମାଟିର ଗନ୍ଧରେ ସ୍ୱପ୍ନକୁ ଶୋଷି ନେଇ ଶବ୍ଦରେ ଉତାରିଦେବାକୁ କବିତା ସବୁବେଳେ ତତ୍ପର, ପୁଣି କବି ଉଚ୍ଛନ୍ନ । କବିତାକୁ ଆହୁରି ଅନ୍ତରଙ୍ଗତାରେ, ନିବିଡ଼ ଆତ୍ମିୟତାରେ ଭରିଦେବାକୁ, କବିତାରେ, ପ୍ରେମରେ ଆହୁରି ତିନ୍ତେଇ ଦେବାକୁ କବି ଚିରକାଳ ସ୍ୱପ୍ନ ଦେଖେ ।

 

ନିତିଦିନିଆ ଜୀବନରେ ଘଟୁଥିବା ଅସଂଖ୍ୟ ଘନଘଟା, ନିଜର ସୁଖଦୁଃଖର ପ୍ରତିକ୍ରିୟା, ସାମାଜିକ ଜୀବନଟିଏ ଜିଉଁଥିବା କବି ମଣିଷଟିର ସାମଗ୍ରିକ କ୍ରିୟା କଳାପ ମଧ୍ୟ କବିତାରେ ପ୍ରତିଫଳିତ ହେବାକୁ ବାଧ୍ୟ । ସେଥିପାଇଁ ଯଉତୁକ ନିଆଁରେ ଜଳିଯାଉଥିବା ଝିଅଟିର ପାରିବାରିକ, ସାମାଜିକ ବ୍ୟବସ୍ଥା, ଲାଞ୍ଚ ନ ଦେଲେ କୌଣସି କାମ ନ ହେବା, ଦାରିଦ୍ର୍ୟରୁ ପିଲା ବିକ୍ରି, ନିଜର ସମସ୍ତ ଯୋଗ୍ୟତା ଥାଇ ଭଲ ଚାକିରୀଟେ ନ ମିଳିବା, ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ହୋଇ ନପାରିବାର ବ୍ୟର୍ଥତା ମଧ୍ୟ କବିକୁ ଆକ୍ରାନ୍ତ କରେବୋଲି ସେ ନିଜର ମୁକ୍ତ ସ୍ୱରକୁ, ସ୍ୱାଧୀନ ବିଦ୍ରୋହକୁ କବିତାରେ ରୂପାୟିତ କରେ ।

 

ସେ ଯେମିତି ଜୀବନ ଜୀଇଁଛି, ଯେମିତି ପାଇଛି, ତାହାହିଁ ପ୍ରକାଶ କରିଛି । ମେହେନତି ଶ୍ରମଜୀବୀ ମଣିଷଟିର ମାଆ ପରି ପ୍ରିୟ ଚାଷଜମିକୁ ଜବରଦସ୍ତ ହଡ଼ପ୍‌ କରିନେଇ, ତାକୁ ତା’ର ଭିଟାମାଟିରୁ ଶିଳ୍ପାୟନ ନାମରେ ବିସ୍ଥାପିତ କରିଦେଇ, ତାର ଭାତହାଣ୍ଡି ଫଟେଇ ତାକୁ ଭୋକଶୋଷରେ ରହିବାକୁ ବାଧ୍ୟ କରୁଥିବା ତଥାକଥିତ ଶାସକଗୋଷ୍ଠୀ, ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷର ବୀଜ ବୁଣୁଥିବା ଭୋଟ୍‌ ରାଜନୀତି, ନୀରିହ ମଣିଷକୁ ହତ୍ୟା କରୁଥିବା, ଧନ ସମ୍ପଦ ଲୁଣ୍ଠନ କରୁଥିବା ଆତଙ୍କବାଦୀ...ଏ ସମସ୍ତ ନିଷ୍ଠୁର ବାସ୍ତବ ଘଟଣା ତାକୁ ଆକ୍ରାନ୍ତ କରେ, ତେଣୁ ସେ ବିଦ୍ରୋହରେ ସ୍ୱର ଉଠାଏ । ଶବ୍ଦକୁ ଅଗ୍ନିବର୍ଷି କବିତାରେ ରୂପଦିଏ ।

 

ତଥାପି ଝର୍କାଦାଢ଼ରେ ଲାଖି ରହିଥିବା ଚିତ୍ରିତ ପ୍ରଜାପତି, କୁନି ଝିଅ ମୁହଁର ନିଷ୍ପାପ ନୀରିହତା, ମାଆକୋଳର ଅପୂର୍ବ ଉଦାର ଉଷ୍ମତା, ପ୍ରେମିକାର କଅଁଳିଆ ମହୁଲିଆ ସ୍ପର୍ଶ, ତାରା ଭର୍ତ୍ତି ଆକାଶର ମୌନତା, ଜହ୍ନର ଆବେଗମୟ ବାସ୍ନା ବି କବିକୁ ସମପରିମାଣରେ ଉତ୍‍ଫୁଲ୍ଲିତ କରେ । ତେଣୁ କବିତା ହୁଏ ଅବିନାଶୀ, କବି ହୁଏ ଅନନ୍ତ, ଅଜର, ଅମର, ଅକ୍ଷୟ ।

 

ମହିମ କବିତାର ଶଙ୍ଖଧ୍ୱନି ଭିତରେ କବି ଜଗତକୁ ଏକ ନୂତନ କାବ୍ୟଚେତନାରେ ପରିଶୀଳିତ କରେ ବୋଲି ତ ସେ ସ୍ରଷ୍ଟା, ସତ୍ୟବାକ୍‌, ଜିଜ୍ଞାସୁ ! ସେହି ମହିଷ୍କତି କବିତାର ଅନୁପମ ଗୁଞ୍ଜରଣ ଭିତରେ ମୋର ଅମାନିଆପଣ ମୋତେ କବିତା ଲେଖିବାକୁ ଅନୁପ୍ରେରିତ କରିଛି ବୋଲି, ମୋର ଦୁଃସାହସକୁ କ୍ଷମା କରିବେ ।

 

ଶ୍ରୀପଞ୍ଜମୀ

ବିଧୁପ୍ରଭା

୧୧.୦୨.୨୦୦୮

 

ଛତ୍ରପୁର

 

Image

 

ସୂଚୀପତ୍ର

 

୧.

ପ୍ଲାଟଫର୍ମ

୨.

ରୁଟିଖଣ୍ଡେ

୩.

କୋହ

୪.

ଅଣ୍ଟିଏ ସପନ

୫.

ନୂଆବର୍ଷ

୬.

କବି

୭.

କବି-୨

୮.

କବି-୩

୯.

କବି-୪

୧୦.

କବି-୫

୧୧.

ତମେ

୧୨.

ଫୁଲଫୁଟା ମୁହୂର୍ତ୍ତ

୧୩.

ଖରା

୧୪.

କୁବ୍‌ଜା

୧୫.

ଶିକୁଳି

୧୬.

ଭାଗ୍ୟ

୧୭.

କଣ ମାଗିବି କୁହ, ତୁମପାଇଁ

୧୮.

ଟୋପାଏ ବିଶ୍ୱାସ

୧୯.

ବର୍ଷା

୨୦.

ଅପେକ୍ଷାରେ

୨୧.

ଦୁଃଖ

୨୨.

ଯୂପକାଠ

୨୩.

ତସ୍‌ଲିମା

୨୪.

କନ୍ଧମାଳ

୨୫.

କାର୍‌ଗିଲ୍‌

୨୬.

ବିଭୋରପଣ

୨୭.

ଅନୁରାଗ

୨୮.

ମେଘ

୨୯.

ଭୂମିକା

୩୦.

ଅମରୀଲଟା

୩୧.

ବିଚାରକର

୩୨.

ଖୋଲିବି କହୁଛି ପରା

Image

 

ପ୍ଲାଟଫର୍ମ

 

ଅଚିହ୍ନା ପ୍ଲାଟଫର୍ମରେ ଓହ୍ଲାଇ

ପଚାରିଲି ସହରର ନାମ

କେତେଜଣ ଚାହିଁଲେ, ମୋ ମୁହଁକୁ

ଅନାଗତ ବିସ୍ମୟରେ

ପୁଣି ଦୋହରାଇଲି

କିଛିପାଦ ଆଗକୁ ବଢ଼ିଲି

ଅଜଣା ଭୟରେ ସାରା ଦେହ ଥରୁଥିଲା

 

ଚତୁର୍ଦ୍ଦିଗ ଅସମ୍ଭବ ଖାଁ ଖାଁ

ଖରାଟା ଦାଉ ସାଧୁଥିଲା

ତଥାପି ସାହସରେ ପଚାରିଲି ଜଣକୁ

କି ଜାଗା ଏଇଟା

ବିଡ଼୍‌ ବିଡ଼୍‌ ହୋଇ ଲୋକଟା ଯେତିକି କହିଲା

ଅନାଗତ ଆଶଙ୍କାରେ

ଅସ୍ଥିମଜ୍ଜା ଶିହରିଗଲା

ନିଜକୁ ଧିକ୍‌କାରିଲି

କି ମୂଢ଼ପଣ ମୋର

ନିରୁଦ୍ଧିଷ୍ଟ ରାସ୍ତାରେ ମତେ

ଓହ୍ଲାଇଲା ଅଚିହ୍ନା ପ୍ଲାଟଫର୍ମରେ

ଯେଉଁ ସହରର ନାମ ‘ମୃତ୍ୟୁ’ ।

 

ତେଣୁ ଏଠି କିଛି ପଚାରି ଲାଭ କ’ଣ

ଅନିଛାରେ ବାଟ ଚାଲୁ ଚାଲୁ

ଆକସ୍ମିକ ଭାବେ

ମୃତ୍ୟୁ ସହରରେ

ପହଞ୍ଚିବାକୁ ବାଧ୍ୟ ।

 

ତମ ଇଚ୍ଛା ଅନିଚ୍ଛା କ’ଣ

ମାଡ଼ିମକଚି ଛେଚିକୁଚି

ଯାହା ହୁଅ ପଛେ

ତମେ ଏଠି ପୋତିବ

ଶୂନ୍ୟକୁ ଡାଳ

ରକ୍ତମାଂସ ହାଡ଼କୋଷ ବାରମ୍ୱାର

ନିର୍ମମ ଇଚ୍ଛାରେ ନିଃସ୍ୱ

ହେଉଥିଲେ ବି

ବରଫର ଶୋକରେ

ଅହର୍ନିଶ ତରଳୁଥିବ

ପୁଣି ବେଳେବେଳେ ଇଚ୍ଛା ହୁଏ

ସୁଖର କଦମ୍ୱ ଫୁଲର

ଝଡ଼ିଯିବା ଉଡ଼ିଯିବା ବାସ୍ନାକୁ

କାନ୍ଥରେ ଚିତ୍ରିତ କରିଥାନ୍ତି

ଶୂନ୍ୟତାର ମେଘନାଦ ପାଚେରୀ

ଭାଙ୍ଗି ଜହ୍ନର ଠିକଣା

ଖୋଜଥାନ୍ତି,

ହେ ମୋର ଭାଇବନ୍ଧୁ, କୁଟୁମ୍ୱ ସୋଦର

କାହିଁକି ଭାଙ୍ଗିଲ

ସ୍ୱପ୍ନ ମୋର, ଧୂଳିଖେଳ ମିଛିମିଛିକା ବାହାଘର

ଅମାନିଅପଣ ଆଉ ମିଛର ସୁଖ ସକାଳ

ସବୁ ଛାଡ଼ିଛୁଡ଼ି ଦେଇ

କିଏ କୁଆଡ଼େ ଗଲେ

କାହାର ଠିକଣା କାହାକୁ ବା ଜଣା

ଝୁରିଲେ ଦୁଃଖ ସିନା

ଅତୀତ ଫେରାନା ।

Image

 

ରୁଟିଖଣ୍ଡେ

 

ରୁଟିଖଣ୍ଡେ ବୋଲି

କେତେ ନେହୁରା

କାନ୍ଦୁଣୁ ମାନ୍ଦୁଣୁ

ହୃଦୟ କାହାର ତରଳେନି

କୁକୁରକୁ ପଛେ ରୁଟିଖଣ୍ଡକ

ଦେଇଦେବେ

ମଣିଷକୁ ନୁହେଁ

କୁକୁର ଛାଡ଼ିଥିବା ଅଇଁଠାରୁଟିରୁ

ଚିମୁଟାଏ ପାଇବାକୁ

ଅସନା ମଳିଚିଆ ନେସ୍‌ମା

ପିଲାଗୁଡ଼ାକ ଝାମ୍ପିପଡ଼ନ୍ତି,

ନାଳକଡ଼େ, ଷ୍ଟେସନ୍‌ ତଳ ଝୁପୁଡ଼ି ବସ୍ତିରେ

ହାଡ଼ୁଆ ରୋଗୀଣା ଖଙ୍କା ପେଟର

ଖୋଲା ପ୍ରଦର୍ଶନୀ ବସେ

ସହରରେ କିନ୍ତୁ ବେଶ୍‌

ନୂଆ ନୂଆ କୋଠାଘର ଗଢ଼ିହୁଏ

ରାସ୍ତା ଭର୍ତ୍ତି କାର୍‌ ସ୍କୁଟର

ବସ୍‌ ଟ୍ରକ୍‌ରେ

ପାଦଚଲା ରାସ୍ତା ବନ୍ଦ ହୁଏ

ଚାରିଆଡ଼େ ଭର୍ତ୍ତି ବଜାର

ସବୁମିଳେ ଏଠି

ଲୁଗାପଟା ଭାତ, ଡାଲି

ସ୍ନୋ ପାଉଡ଼ର,ମାଛମାଂସ

ସ୍ନେହଶ୍ରଦ୍ଧା ଘର ପରିବାର

ତମର ଯଦି ମନହେଲା

ପକେଟରେ ଖୁବ୍‌ ପଇସା

ଆଉ ଡର କ’ଣ ?

ହୃଦୟ ନାମକ କିଣା ପଲିଥିନ୍‌ ପ୍ୟାକେଟ୍‌କୁ

କାର୍‌ର ପଛସିଟ୍‌ରେ ଫୋପାଡ଼ିଦେଉନ

ଥାଉ ! କାନ୍ଦୁଛ କାହିଁକି

ଲୁହ ତ ଆଉ ଲୁଣିଆ ଲାଗୁନି

 

କଣ୍ଟାକ୍ଟଲେନସ୍‌ ଆଖିରେ ଲଗେଇଛ

ଲୁହ ତ ଶୁଖିଯାଇଛି

ଆଲୁଅ ପଡ଼ିଲେ ଖାଲି

ଯାହା ଚିକ୍‌ ଚିକ୍‌ ଦିଶୁଛି

ମନ ତ ପ୍ଲାଷ୍ଟିକ୍‌ ଫୁଲଦାନୀରେ

କେବେ ଠୁଁ ସଜା ହୋଇଛି

ତମର ଦରଦ ତ

ଶବ୍ଦରେ, ବାକ୍ୟରେ

ବହିରେ ଯାହା ଲେଖାହୋଇ

ସାଇତା ହୋଇଛି

କେବେ କେମିତି ରିଡିଂ ରୁମ୍‌

ଖୋଲା ହେଲେ

ଚଉକିଦାର ଛାଞ୍ଚୁଣୀରେ

ଆଲ୍‌ମିରା ଝାଡ଼ିଦେଉଛି

ତମେ ତ କେବେଠୁଁ ଫସିଲ୍‌ ପାଲଟିଛ

କମ୍ପୁଟରରେ ଫିଡ଼୍‍ କଲେ ବି

ତମେ ଏତେ ପୁରୁଣା ଯେ

ବାରମ୍ବାର ଝଡ଼ିପଡ଼ୁଛ ।

Image

 

କୋହ

 

ଦିକ୍‌ ଦିକ୍‌ ସ୍ମୃତି ଜଳେ

ଲୁହ ଟଳମଳ ପୃଷ୍ଠା ଝାପ୍‌ସା ଦିଶେ

ଛୁଇଁବାକ ବୋକଦେବାକୁ

ଓଠ ଝୁରେ

ସେଦିନ ତମେ ମୁଖାପିନ୍ଧି

ପାଦ ଚିପି ଚୁପ୍‌କିନା ଖସିଗଲ

ଛାଡ଼ିଦେଇ ଅସରନ୍ତି ଦୀର୍ଘଶ୍ୱାସ

ପ୍ରେମରେ କୋହ

ସ୍ପର୍ଶରେ ଶିହରଣ

କଢ଼ର ବାସ୍ନାରେ

ରଖିଦେଇ କୋହର ସନ୍ତାପ

ସ୍ୱପ୍ନମୟ ନିଦର କୋଳ

ଉଷୁମ ହୁଏନି

ଗୀତ ଆଉ ଗାଏନି ମୁଁ

ତଥାପି କବାଟ ଖୁଡ଼୍‌କିନା ହେଲେ

ଚମକି ଚାହେଁ

ଶୁଭୁନି ଆଉ ତମର ସେ ଚୁପିଚୁପି କଥା

ଆକଣ୍ଠ ଆଲିଙ୍ଗନର ଅପାଶୋରା ବ୍ୟଥା ।

 

ମୁଁ ଜାଣେ ତମେ ଆଉ ଚୁର୍‌ ହେବନି

ମୋ ଗେହ୍ଲାର ତରଳ ବାମ୍ଫରେ

ଯେଉଁଥିରେ ମନରେ ନିଆଁ

ଦେହରେ ନିଆଁ

ବାରମ୍ୱାର ପେଶୁଥାଏ

ରକ୍ତମାଂସ ହାଡ଼ର କଲିଜା

ଅଶରୀରୀ ସ୍ମୃତିର

ପରସ୍ତ ପରସ୍ତ ନୋଚାକୋଚା

ରୁଦ୍ଧ ଅଭିମାନରେ

ଅବିରର ରଙ୍ଗବୋଳି ହେଇଯାଏ

ଅଙ୍ଗାରର ଦଗ୍ଧ ଜ୍ୱଳନରେ

ଆଉଁଷି ଅଣ୍ଡାଳି ଛେଚିକୁଚି

ନିଜକୁ ଯେତେ ଥାପୁଡ଼ାଇଦେଲେ ବି

ପ୍ରିୟତମ ସ୍ମୃତିର ବତୁରା କୋହରୁ

ମୁକୁଳି ହୁଏନି

କି ତମ କପଟତାର ଆହ୍ଲାଦରୁ

ମହୁତକ ଶୋଷି ହୁଏନି ।

Image

 

ଅଣ୍ଟିଏ ସପନ

 

ସବୁପ୍ରିୟ ମଣିଷଙ୍କ ମୁହଁ

ହସକାନ୍ଦ ମାନ-ଅଭିମାନ

ରାଗରୁଷା, ହାତ ଧରାଧରି ହୋଇ

ବାଟ ଚାଲୁଥିଲା ବେଳେ

ସରିଯାଏ

କେମିତି କେଉଁ ଛଟକରେ

ଆପଣାର ମୁହଁଟି ଲୁଚିଯାଏ

ପୁଣି ଦିନ ଆସେ, ସବୁରାତି ପରେ

ଖିଆପିଆ, ଅଫିସ୍‌ ହୋହଲ୍ଲା

ସ୍କୁଲ, ଭେଁ ଭେଁ କାନ୍ଦ

ରୁଟିନ୍‌ରେ ଚାଲେ

ରଜ, ଦଶହରା, ଜନ୍ମଦିନ, ମାଣବସା, ଜନ୍ମାଷ୍ଟମୀ

ବାହା, ବ୍ରତ, ଏକୋଇଶା

କିଛି ଅଟକେନି

ମାମୁଲୁ, ବାବୁଲୁ

ଧୂଳିରୁ ସିଢ଼ି ଚଢ଼ନ୍ତି

ପାହାଚ, ପାହାଚ

ଖୁସିରେ ବିଭୋର ମୁହଁ

କଥା ତ କିମ୍ୱଦନ୍ତୀ ହୁଏନା

ଇତିହାସ ପାଲଟେ

ଫଟୋଫ୍ରେମ୍‌, ଶ୍ରାଦ୍ଧ, ଜନ୍ମଦିନ, ଫୁଲ

ନିରୋଳାରେ ଖରାବେଳେ ସ୍ମୃତିଝୁରେ

ତମ ଆବେଗର ନିଗିଡ଼ା ପଣରେ

ଏ ଘର ଦ୍ୱାର ଅଳିନ୍ଦ ସଦାବେଳେ

ଚିକ୍‌ ଚିକ୍‌ ଦିଶୁଥିଲା

ଚିବୁକରୁ ଲାଜର ଲାଲି ଫୁଟୁଥିଲା

ଓଠରେ ନଇଁ ପଡ଼ୁଥିବା ମୁହୂର୍ତ୍ତକୁ

ଛାତିରେ ଜାକି

ଉଷୁମ ଚୁମା ଦେବାକୁ

ଅଲିଅଳ ଇଚ୍ଛା ଥିଲା

କେବେ କେମିତି ହାତମୁଠାରୁ

ପୁଲକିତ ମଧୁରିତ ଶିହରଣ

ଖସି ଯିବନି ବୋଲି

ଖୁବ୍‌ ଆସ୍ତେ

ପାଦଟିପି ଟିପି

ନୀରବରେ ଚାଲୁଥିଲେ ବି

ସରୁନଥିଲା....କିଛି ସରୁନଥିଲା

ଅଣ୍ଟିରେ ଆଞ୍ଜୁଳା ଆଞ୍ଜୁଳା ଫୁଲ

ଗୋଟାଉଥିଲେ ବି

ଜମା ମନେ ପଡ଼ୁନଥିଲା

ଦମକାଏ ଭାରିପବନରେ

ଦିନେ ସବୁ ଆଲୁଅ ଲିଭିଗଲା

ଧଡ଼ଧାଡ଼ କବାଟ ଝର୍କା ପିଟିହେଲା

ମହମବତୀଟା ଖୋଜୁ ଖୋଜୁ

ଝୁଣ୍ଟି ପଡ଼ିଲି ବୋଲି

ଅଣ୍ଟିର ସାଇତା ଫୁଲତକ ବିଞ୍ଚିହେଲା

ରକ୍ତଝରିଲା/ସ୍ୱପ୍ନ ଅଧା ରହିଗଲା

ବର୍ଷା ଥମିଗଲା ସତ

ପୁଣିଥରେ ବତୀ ସବୁ

ଜଳିଲା ଯଦିଓ

ଘର ଅଗଣା ଦାଣ୍ଡବାରି ରାସ୍ତାଘାଟ

କେତେ ଖୋଜିଲି...ଦରାଣ୍ଡିଲି

ହେଲେ ଅଣ୍ଟି ନଥିଲା କି ଫୁଲ ନଥିଲା ।

Image

 

ନୂଆବର୍ଷ

 

ନୂଆବର୍ଷ, ନୂଆ ମଣିଷ ପରି

କେତେ ଆପଣାର

ସ୍ନେହ ସରାଗର ନୂଆ ସକାଳକୁ

ମହୁମାଛିଟିଏ ପରି

କେତେ ସ୍ୱପ୍ନରେ, ମୋହମୟ କରେ

ଛମ୍‌ ଛମ୍‌ ପାଦରେ ତା’ ଗଛର ପତ୍ର କଅଁଳେ

ହଳଦୀବସନ୍ତ ଡେଣାରେ

ବୋଳିହୁଏ ପ୍ରୀତିର ରଙ୍ଗ

ଗ୍ରହ, ତାରା, ନକ୍ଷତ୍ର, ଅନନ୍ତ ଆକାଶ

ଆପଣାର ଲାଗେ ପକ୍ଷୀର କାକଳି ପରି

ପୁରି ସ୍ନେହଶୀଳ ମମତାରେ ଜରଜର

ସ୍ୱରରେ ବାସ୍‌ମତି ଲତାର କୁହୁକ

ଆଉ ତରଳ ମୃଗମଦରେ

ତିନ୍ତେଇଦିଏ ମୋର ସ୍ୱପ୍ନମୟି ଅସ୍ତିତ୍ୱ

କହିଯାଏ, ଖୁବ୍‌ ଧୀରେ

କାନେ କାନେ ଜୀବନ ସତ୍ୟ....ସତ୍ୟ

Image

 

କବି

 

ମହାନୀରବତାର କବି !

ତମକୁ ପଚାରେ ଆଜି

ପଣ କ’ଣ କରିଥିଲ

ସହିବାକୁ ଅସଂଖ୍ୟ ଆଘାତ

ଅସଂଖ୍ୟ ଶବ୍ଦର ଭିଡ଼ରେ

ଜାକିଜୁକି ଶୋଇଥିବା ମନଟି

ପୁଣି ଥରେ ହେଲାଣି ଜାଗ୍ରତ !

 

ଏବେ ପୁଣିଥରେ କବିତା ଲେଖିବାର

ଆଘାତ ସହିବାକୁ ପ୍ରସ୍ତୁତ ହୁଅ

ତମେ ନିଶ୍ଚେ ଜାଣିଛ

କେଉଁପରି କବିତାକୁ

ଲୁହରେ ପଖାଳି

କରିଥାଅ ବେଶୀ ପ୍ରୀତିମୟ

ସେଥିପାଇଁ ବୋଧହୁଏ

ଆଲୁଅ ହଠାତ୍‌ ଆସି, ଚାଲିଯାଏ

ଅନ୍ଧାରରେ ଲୁଚିଥିବା

ଢେଉସବୁ ଝଲସନ୍ତି

ମୋ ମନର ମହାସାଗରରେ

ସାରା ଜୀବନର ସବୁ ଦୁଃଖ ଅଭିମାନ

ମୁଁ ପାସୋରିଦିଏ

ସେଇ ମୁଗ୍ଧ ମୁହୂର୍ତ୍ତରେ ।

 

ଏହାହିଁ ଜୀବନ ମୋର

ନିଜପ୍ରତି ଶ୍ରତୁତା ନିଜର

ଅଜସ୍ର ଅଜସ୍ର ବି ପ୍ରେମ ନିଜପ୍ରତି

ତମର ଶୁଖିଲା ମୁହଁ

ଯେତେବେଳେ ଦିଶେ

ଇଚ୍ଛାହୁଏ ତମ ଲୁହପୋଛି

ତମର ଓଠରେ

ମୁଁ ଅଜସ୍ର ଚୁମ୍ୱନ ଦିଅନ୍ତି

ଇଚ୍ଛାହୁଏ ତମେ ମତେ

ସାନ୍ତ୍ୱନା ଦିଅନ୍ତ

ତମ ପ୍ରତିଅଙ୍ଗର ସ୍ୱରରେ

ସେ ସ୍ୱର, ମୋ ନିଜ ସ୍ୱର ପରି ଶୁଭୁଥିବ

ଶୁଭୁଥିବ ସମୟର ସେ ପାଖରୁ

ମୋ ପରିଚିତ ନଈକୂଳ ଅନ୍ଧାର ଭିତରେ

ତମେ ଯେତେବେଳେ ଚାଲିଯିବ

ସେତେବେଳେ କେତେଶବ୍ଦ

ଆସୁ ଆସୁ ଲାଖି ରହିଯିବ

କାନ୍ଦ କାନ୍ଦ କଇଁଫୁଲମାନଙ୍କ କଣ୍ଠରେ ।

Image

 

କବି-୨

 

କବି ! କେତେ ଧାଡ଼ି ମନେପଡ଼େ

ତମ କବିତାର

ଯେତେବେଳେ ପୂନେଇଁର ଜହ୍ନ ଉଇଁଆସେ ।

 

ସେତେବେଳେ ପୋଖରୀରେ

କଇଁଫୁଲ ଫୁଟେ

ଦିଗଦିଗନ୍ତ ମହକିତ ହୁଏ ତା ବାସ୍ନାରେ

କେତେ କୋଟିଥର ଜହ୍ନ ଉଇଁଲାଣି

କିନ୍ତୁ ପ୍ରତିଥର ସଞ୍ଜବତୀ ଜାଳିଲା ବେଳକୁ

ତମକଥା ମନେପଡ଼େ ଚଉରା ମୂଳରେ

ତମ କାନ୍ଦ କାନ୍ଦ ମୁହଁ ପ୍ରତିଥର ଦିଶେ

କେତେ ସହସ୍ରାଦ୍ଦ ପରେ

ପୁଣି ଯେବେ ଜହ୍ନ ଉଇଁବ

ମୁଁ ସଞ୍ଜବତୀ ଜାଲିଲା ବେଳକୁ

ତମେ ପୁଣି ଉଭା ହେବ

ଚଉରା ମୂଳରେ

ମହକାଇ ଖଣ୍ଡମଣ୍ଡଳକୁ

ଏ ଘଟଣା କ’ଣ କେବେ ଘଟିବ

ଯଦିବା ଘଟେ

କ’ଣ କଦାପି ସରିବ ?

 

ମୋର ପରିପୂର୍ଣ୍ଣ ଏବଂ ହସହସ

ଦେହ ଡେଇଁ

ତମେ କେଉଁ ଆଡ଼େ ଯିବ ?

Image

 

କବି-୩

 

ସ୍ମୃତିର ପକ୍ଷୀସବୁ

ମନର କଦମ୍ୱ ଶାଖାରେ,

ତୃଷ୍ଣାର ରାତିଜଗା ପକ୍ଷୀସବୁ

କରୁଥାନ୍ତି ବାରମ୍ୱାର ଡ଼େଣା ଫଡ଼ଫଡ଼

ପ୍ରାଣର ଯମୁନା ତୀରେ

ହେ ହୃଦୟର ଫୁଲ ! କବିର ଅସୀମ ହୃଦୟ

ଉନ୍ମୁକ୍ତ ଆକାଶର ତାରାଭର୍ତ୍ତି

ଫୁଲଭଳି

ଦେଉଥାନ୍ତି ଅସରନ୍ତି ଆଲୋକ

ଚେତନାର ଦୀପଶିଖା ତେଜି

ନାଭି, ନିଃଶ୍ୱାସ ସ୍ନାୟୁର ସ୍ମୃତିଭଳି

ତମକୁ ମୁଁ ଅସ୍ଥିମଜ୍ଜା ରକ୍ତକୋଷ

କମ୍ପନରେ ଆଉଁଷିଦିଏ

ତରଳ ମୃଗମଦ ସ୍ନେହରେ ତିନ୍ତେଇ ଦିଏ

ଯାଅ ଯାଅ ମୋ ଆଖିର ଲୁହ ସବୁ

ମୋ ମନରେ ଛଳଛଳ ଦୁଃଖମାନେ

ଚାଲିଯାଅ....ଯାଅ

ଚାଲିଯାଅ ରାତି....

ଅନେକ ବର୍ଷୁକୀ ଇଚ୍ଛାର ଅପୂର୍ଣ୍ଣ ଅନ୍ଧକାର

ତଥାପି ଟୋପାଏ ବର୍ଷା ପାଇଁ ତ

ମୁଁ ଆଶା ରଖେ

ଆମେ ଦୁହେଁ ଭେଟାଭେଟି ହେବା

ଶବ୍ଦାୟିତ ସ୍ନେହର ବତୁରା ମୁହୂର୍ତ୍ତରେ

ସେତେବେଳେ ତମେ କ’ଣ

ଖାଲିହାତ ହେଇ ପହଞ୍ଚିବ ?

 

ଅସ୍ଥିମଜ୍ଜା ଜଳିଯିବ / ଓଦାଓଦା ହାୱାଟି ଆସିବ

କଣ୍ଠସ୍ୱର ତମର ଶୁଭିବ

ତୃଷିତ ମାଟିର ପାଦଶବ୍ଦେ

ଅନୁଭବର ଆଷାଢ଼, ଆଷାଢ଼ ଗନ୍ଧରେ

ବାରମ୍ବାର ତମେ କଣ୍ଟା ଫୋଡ଼ି ହେବାର

ଅନାହୂତ ଯନ୍ତ୍ରଣାରେ ଜଳୁଥିବ

ରୁହ ! ଦଣ୍ଡେ ଅଟକିଯାଅ ।

 

ଏଇ ଶୁଣ ! କେଉଁ ଦୂର ଗଡ଼ଜାତ

ବର୍ଷାରାତି, କେଉଁ ସିକ୍ତ ସ୍ମୃତିର ଶ୍ରାବଣ

ବାରମ୍ୱାର ମନେପଡ଼େ ଆଜି

କା’ ଆଖିର ଉପତ୍ୟକା ଡେଇଁ

କବି ! ତମେ ପହଞ୍ଚିଲ

ଏ ଶିଉଳିଲଗା ସମୟରେ

ଶୁଣ,ତେବେ ଶୁଣ ମୋର ସବୁ

ଅସହାୟପଣ ଓ ସବୁଯାକ ଅନିଦ୍ରା

ତମର

ତମର ବି ମତେ ବେଳେବେଳେ

ମିଳୁଥିବା ଟୋପାଏ ଦି’ ଟୋପା

ମହୁ ମୋର ସବୁ ଆକାଂକ୍ଷାର

ଏଠି ଟୋପାଏ ମହୁ ପାଇଁ ତ

ଶବ୍ଦକୁ ଶବ୍ଦଡ଼ାକେ

ହାତବଢ଼ାଏ, ବୋକଦିଏ, ଗେଲକରେ

ସେତିକିରେ ପବନ ବହେ

ଜହ୍ନ ଉଏଁ

ଧାନଶିଷାଁରେ ଦୁଧଭର୍ତ୍ତି ହେଇଯାଏ

ଅମାନିଆ ନଈସବୁ ସମୁଦ୍ରକୁ

ଧାଇଁଯାନ୍ତି ଉଦ୍‌ବେଗରେ

ଆଉ ମୁଁ ବି ମିଶେ

ତମର କୋଳରେ ।

Image

 

କବି-୪

 

ହୃଦୟରେ ଭଲପାଇବାର

କଣ୍ଟାଟେ ଫୁଟିଲେ

ଅଗଣାରେ ରକ୍ତ ଝରିଯାଏ

ଏକା ଏକା ବାଟ ଚାଲୁ ଚାଲୁ

ହଠାତ୍‌ କା’ ପଶମ ସ୍ନେହ ଆଉ ଲୁହ

ସଂଚରିଯାଏ ମନଅଗଣାରେ

ତମେ ଜାଣିଛ କି କବି ।

କବି ହେଲେ ନିଶ୍ଚତ ଯନ୍ତ୍ରଣା ମିଳେ

ନିରବଧି ଯନ୍ତ୍ରଣାରେ ଜଳିବାକୁ ହୁଏ

କେବେ ଯଦି ଅପବାଦ ନାଗରା ବାଜେ

ତୁମ ମନ ଝାଉଁଳିପଡ଼େ

ଏବଂ ତୁମେ କ୍ରମଶଃ ଜଡ଼ିଯାଅ

ସେହି ମାହେନ୍ଦ୍ର ମୁହୂର୍ତ୍ତରେ

କିନ୍ତୁ କବିତା ସୃଷ୍ଟିର ପ୍ରତ୍ୟୟ

ଜନ୍ମିଯାଏ ନିଶ୍ଚିତ ଭାବରେ

ହେ କବି ! ମୋ ବାୟଟା ପରା ଆସ

ଆଉଁଷିଦେବି ପାଦକୁ ତୁମର

ମୁଁ ଜାଣେ.......

ବାଟ ଚାଲିବାର ନୂଆ ନୂଆ ବାଗ

ଯନ୍ତ୍ରଣାର ମିଠା ମିଠା ଦାଗ

ପାଦରେ ବାରମ୍ୱାର ଲାଖି ହେଇଯାଏ

କବି ! ଆଉ ଗୋଟେ କଣ୍ଟା ମାଡ଼ିଲ କି ?

 

ହୃଦୟରୁ ଝରୁଛି ରକ୍ତର ଧାର

ସତରେ ତାକୁ ଶୋଷିନେବାକୁ

ଓଠ କି ବ୍ଲଟିଂ ପେପର୍‌

ନା ଅଛି କ’ଣ ପଣତ କହାର ?

 

କାଣିଚାଏ ସ୍ନେହ ମିଳିଲାନି ତମକୁ

ଏ ପୃଥିବୀରେ ହଠାତ୍‌ ଏମିତି

ସ୍ନେହସବୁ ଉଭେଇଗଲା କେବେଠୁଁ

କ୍ଷତି କ’ଣ ନୂଆ ଅନୁଭୂତିଟେ

 

ତମ କଲମରୁ କବିତାର ରୂପନେବ

ଆଉ ଝୁଣ୍ଟିବା ତ ସବୁ କବିଙ୍କର

ସହଜାତ ଗୁଣ

ନଝୁଣ୍ଟିଲେ କିଏ କ’ଣ

କେବେ କବି ହୁଏ ?

କଣ୍ଟା ମାଡ଼ିବା ତ ଯେ କେହି

କବିର କପାଳ ଲିଖନ ।

Image

 

କବି-୫

 

ଅସୁମାରୀ ଜୀବନର

ଅହେତୁକ ଦୁଃକର ବତାସରେ

ଭାଙ୍ଗିପଡ଼େ କବି

ମୁଣ୍ଡପାତି ବିନୟରେ ସହିଯାଏ

ବାଜୁଥିବା ଅପବାଦ ନାଗରା

ବୟସ ବଢ଼ିବା ସଙ୍ଗେ କବି ବୁଝେ

ସ୍ୱପ୍ନସବୁ ସ୍ୱପ୍ନ ହୋଇ ରହିଯାଏ

ସେଥିରେ ଥିବା ଅନୁଭୂତିର ମିଠାସ୍ୱର

କବିକୁ କରିଦିଏ ମଣିଷ

କଣ୍ଟାରେ ବାରମ୍ୱାର ନିଜ ଦେହକୁ

ଫୋଡ଼ିବା ଏକ କବିଧର୍ମ

ସେ ରକ୍ତରେ ଗାଧେଇବା

ଅନ୍ୟଏକ କବିକର୍ମ

କବିତା ଲେଖିବା ଓ କବି ହେବା

କବି ଭଳି ଜୀବନ ଜୀଇଁବା

ଏକା କଥା ନୁହଁ

କବିତା ଲେଖିବାର ଯନ୍ତ୍ରଣାଠୁଁ

କବିହେବାର ଅପଯଶ

ଆହୁରି ଦୁଃଖଦ

କବି ଭଳି ଜୀବନ ଜୀଉଁଥିବା

ସତ୍ୟନିଷ୍ଠ ପାଗଳ କବିଟି

ଯିଏ ଅନ୍ୟପାଇଁ

ସ୍ନେହ ବିଶ୍ୱାସ ପ୍ରତ୍ୟୟରେ

ପିନ୍ଧିଥାଏ କଳଙ୍କର

ପଙ୍କବୋଳା ମୁକୁଟ ।

Image

 

ତମେ

 

ଆସିବ ବୋଲି

ତ ମୋ ଘରେ ଏତେ

କୋଳାହଳ ହୋହାଲ୍ଲା

ଦାଣ୍ଡ କ୍ରୋଟନ୍‌ ଗଛରେ ହସ

ମଲ୍ଲୀଫୁଲରେ ହସ

ଘରର ଝର୍କାମାନେ ଆହୁରି

ତେଜିୟାନ୍‌ ହେଇ

ପବନକୁ ହିଲ୍ଲୋଳିତ

କରି ଦେଉଛନ୍ତି

ମୋ ଶେଯ, ବହି, କଲମ, ଟେବୁଲ, ଉପରେ

ମୋ କବିତା ଖାତାରେ

ତମର ସେ ହସହସ

ମୁହଁର ପ୍ରତିଛବି ନେସି ହୋଇଯାଉଛି

ତମେ ଆସିବ ବୋଲି

ବଉଦର ଉଢ଼ାଳରେ

ଛପିଥିବା ହସକୁରୀ ଜହ୍ନକୁ

କିଏ ଉଠେଇ ନେଉଛି

ଯେମିତି ତମକୁ

ତା’ର ଅସରା କିରଣରେ

ମାଜିମୁଜି ଏକଦମ୍‌ ବିହ୍ୱଳିତ କରିଦେବ

ପୁଣିଥରେ ତାରାଫୁଲ ଗହଣରେ

ତୁମକୁ ଛାଡ଼ିଦେଇ ଆସିବ

ତୁମେ ଆସିବ ବୋଲି

ତମର ଅଭାବ ଏବଂ ସାନ୍ନିଧ୍ୟର

କାଳ୍ପନିକ ବ୍ୟବଧାନ ଆଉ ନାହିଁ

ନିଃଶ୍ୱାସର ସେଦିନ ଥିଲାରେ

ମରୁର ଜଳନ

ଶଙ୍ଖ ମଲମଲ ଦେହରେ

ସାଉଁଟିଥିଲି ତୁମ

ଆଙ୍ଗୁଠିର ଭୋକ

ପ୍ରତିଟି ନିଃଶ୍ୱାସର ଝଡ଼କୁ

ସାମ୍ନା କରି ନ ପାରି

ନିଆଁର ନିଶବ୍ଦତାକୁ

ଓଠରେ ଥାପୁଥିଲି ।

Image

 

ଫୁଲଫୁଟା ମୁହୂର୍ତ୍ତ

 

କି ଫୁଲ ଫୁଟିଛି କହ

ସୁଗନ୍ଧରେ ଯାର

ପିଲାଦିନ, ବାଲିଘର, ଦୋଳିଖେଳ

ମାଛଧରା, ଜେଜେଙ୍କ ଉଷୁମ କୋଳ

ନିଦୁଆ ସକାଳ /ପୋଡ଼ ପିଠା

ମାଣବସା ଗୁରୁବାର

କଣ୍ଢେଇ ବାହାଘର

ମହକୁଚି ଦେଖ

ବୋଉର ମଠାପିନ୍ଧା ଭାରିଗହଣା

ତକ୍‌ତକ୍‌ ଗୋରା ମୁହେଁ

ବଡ଼ ନାଲିଟୋପା ସିନ୍ଦୂର

ଆଦରରେ ଟଳମଳ ଆଖିଲୁହ

ସୋହାଗର ମୋହମୟୀ ସ୍ପର୍ଶ

ସବୁଦିନେ ଭରିଦିଏ

ଅସରନ୍ତି ବିଶ୍ୱାସ

ନିଜପାଖେ ଏକୁଟିଆ

ଦମ୍ଭହେବାର ପ୍ରତ୍ୟୟ

ଏଠି କ’ଣ

ସେଇ ଫୁଲ ଫୁଟିଛି ?

ଯେଉଁଠି ନନାଙ୍କର ଗମ୍ଭୀର ଚାଲି

ଦିଅଁ ଘରେ ବାଜୁଥିବା ଘଣ୍ଟିଧ୍ୱନି

ଚଣ୍ଡୀପାଠ ଉଚ୍ଚାରଣ

ମଧୁରଂ ମଧୁରଂ ମଧୁରାଧିପତେ ରଖିଳଂ ମଧୁରଂ

ଶୁଭୁଥିବା ମହମହ ଫୁଲର ସୁବାସ

ଖେଳାଇଯାଉଛି ଚହଟିଯାଉଛି ଦେଖ

କୃତଜ୍ଞତାରେ ନରମି ଯାଉଛି

ଏଇ ମୋର ସ୍ୱପ୍ନମୟୀ ଶୈଶବ

ମୁହୂର୍ତ୍ତରେ ଗାଧାଏ ମୁଁ

ବାସ୍ନାରେ ମତୁଆଲା ହୁଏ

ଆଉ ଶିଶିରଭିଜା ସକାଳରେ

ତୋଳୁଥାଏ...ଝୁରୁଥାଏ

Image

 

ଖରା

 

ଖରା ଆସେ ପିଜୁଳି ଗଛକୁ

ଖପ୍‌କରି ଡେଇଁଥିବା ମାଙ୍କଡ଼ପରି

ଖରାର କି ଲମ୍ୱାଗୋଡ଼

ଦୁଇତିନି ତାଲା ଘର ଉପରକୁ

ଚଢ଼େ ସକାଳୁ ସକାଳୁ

ଫିଟିଥିବା ଝରକାକୁ ରଙ୍ଗକରେ

ଆତୁର ପ୍ରେମିକର

ବ୍ୟାକୁଳ ପଣରେ

ଖରା ଡେଇଁପଡ଼େ

କୋକେଇ ଉପରକୁ

ବିଞ୍ଚିଦେଇ ରୂପାଖଇ

ସୁନାର କଉଡ଼ି

ଖରା ଆସେ ଛପି ଛପି

ତୁମ ମୋ ଭିତରେ

ଥିବା ବ୍ୟବଧାନକୁ

କମାଇ ଦେଇ

ପୋଖରୀ ପାଣିରେ

ପଡ଼ୁଥିବା ପ୍ରତିଫଳନକୁ

ହତବାକ୍‌ କରିଦେଇ

ଖରାଆସେ

କୁହୁଡ଼ିର କୁଳୁପିନ୍ଧି

ଗୁଲୁଗୁଲିଆ ଝିଅର ହସରେ

ମାଆର ପଣତ କାନିରେ

ଆକଶର ପାହାଚରେ

ଖରା ଆସେ

ଠକ୍‌ ଠକ୍‌ କରି ଦୁଆରକୁ

ଅରଣ୍ୟ ଅରଣ୍ୟ ଶୋଷର କୋଲପ ହଲାଇ

ଚିହ୍ନ ଛାଡ଼ି ଦେଇଥିବା ଚମ୍ପା ଡାଳରେ

ଅବିରତ ପ୍ରଶ୍ନ ପଚାରି

ଊଙ୍କିମାରେ ବାହାରର ଗଛଡାଳୁ

ଖରା ଆସେ

ସବୁଦିନ ପରି

ହାତମୁଠାରେ ସମ୍ଭାଳି ରଖିବାର

ଇଚ୍ଛାକୁ ସାଇତି

ହେଲେ ଖରାର ହଳଦିମଖା

ସ୍ୱପ୍ନର ଯାଦୁଘର

ସେମିତି ଅଖୋଲା ରହେ

କେହି ଜଣେ ସୁନାର ଜାହାଜ ଚଢ଼ି

ସ୍ୱପ୍ନର ଯାଦୁଗର

ଆସି ପାଦଦେବ

ତା’ର ଅଦ୍ଭୁତ କୁହୁକରେ

ଯୁଗଯୁଗର ରୁଦ୍ଧ ଅବଶୋଷକୁ

ଚିତ୍ରମୟ କରିଦେବ

ଜୀବନମୟୀ ମୋହମୟୀ

ସ୍ପର୍ଶରେ ଆଉଁଷିଦେବ ।

Image

 

କୁବ୍‌ଜା

 

ପ୍ରାଣପ୍ରିୟ କୃଷ୍ଣ ମୋର

ଆତ୍ମାର ଦୋସର ।

ଛଳ ଛଳ ଲୁହର ସ୍ୟାହିରେ

ତମ ଆସିବା ପଥକୁ

ଇଚ୍ଛା ମୁତାବକ ଚିତ୍ରମୟ କରିଦେଇଛି

ରକ୍ତିମ ପାଦ ଦୁଇଟିକୁ

କଳ୍ପନାରେ ଜାକି

କେତେରାତି ଉଜାଗରେ

ବିତିଛି ଯେ ବିତିଛି

ତମ ଘନନୀଳ ମୋହିନୀ ବାସ୍ନାରେ

କୁବ୍‍ଜାର ଅର୍ଖିତ ଅସୁନ୍ଦର ପଣ

କେତେବାର ଭିଜିଛି ଯେ ଭିଜିଛି

ନଇଁ ନଇଁ ବାଟ ଚାଲୁ ଚାଲୁ

ମାଟିଗନ୍ଧରେ ତଥାପି

ମହମହ ବାସୁଥାଏ ମୋର ଏକ୍‌ଲାପଣ

ସେତେବେଳେ ପବନରେ ଥିରିଥିରି

ଭାସିଆସେ ତମ ନୂପୁରର ଛମ୍‌ଛମ୍‌

ଜାଣିଛ !

କେତେ ଅଲୋଡ଼ା ଏଇ ମୋର

ଅସୁନ୍ଦରପଣ

ଯା’ର ନିର୍ମମ ବୋଝ ବୋହି ବୋହି

ଅପମାନର ଧାସରେ ସିଝିସିଝି

କଂସର ବେଶଲାଗେ

ମୋ ଶିରାଳ ଆଙ୍ଗୁଠିରେ

ଲିଭେଇଦିଏ ଜମିଥିବା ଯେତେ ସବୁ

ଅରମା କଳା ମଚମଚ ଦାଗ

ଦିନେ ଶୁଣିଲି

ତୁମେ ଆସୁଛ ମଥୁରା

କୋହର କେରି କେରି କୋହସ୍ନାତ

ଆତ୍ମାର ଡ଼ାକରେ

ବୁଡ଼ିଗଲା ମୋର ନିରିମାଖି କୁହୁଡ଼ା ଅସ୍ତିତ୍ୱ

ଗୁଣୁଗୁଣୁ କାନ୍ଦକାନ୍ଦ ସ୍ୱରେ

ମୋର ବଙ୍କା ଟଙ୍କା ଅବାଗିଆ

ଖାଲଖମା ପିଠିତଳେ

ନିରୀହ ପ୍ରୀତିପର୍ଣ୍ଣ ମନମୋର

ତମଛୁଆଁର ନିବୁଜ ଆଉଁଷାକୁ

ଚିରକାଳ ଝୁରୁଥାଏ ।

 

ହେ ନବଘନ ସୁନ୍ଦର !

ଆସ ଆଜି ଫୁଲରେ ଫୁଲରେ

ଫୁଲ ଟାହିଆରେ

ସଜେଇବି ତମ ବାଙ୍କଚୂଳ

ଖୋସିଦେବି ମୟୁରପୁଚ୍ଛ

ବାହୁରେ ବାହୁଟି

ପାଦରେ ପିନ୍ଧାଇ ଦେବି

ରୂପାର ପାହୁଡ଼

ହଳଦିଆ ପାଟ ମଖମଲି ଦୋସଡ଼ିରେ

ସଜେଇଦେବି ତମ ଶ୍ୟାମଳ ଦେହ

ତମ ଓଠରେ ଦେବି

ମହୁଆ ବଇଁଶୀ

ଝୁରୁଥିବ ଯେଉଁଠୁ

ମହୁର ଅସରନ୍ତି ଶୋଷ

ହେଇ ଦେଖ !

ହୃଦୟର କବାଟ ହଳିକ ମୋର

ତମ ପାଇଁ ସେମିତି ମୁକୁଳା ଅଛି

ତମ ଆସିବାର ଦମ୍‌କାଏ

ମିଠା ପବନରେ ଅମାନିଆ ବାସୁଛି

ନିଆଁ ନିଆଁ ନିଆଁ

ମନରେ ନିଆଁ ଦେହରେ ନିଆଁ

ତରଳ ନିଃଶ୍ୱାସ ନିଆଁରେ

ଜଳୁଛି ଗଛବୃଚ୍ଛ ମଥୁରାର ନଗ୍ରପଦ

ସ୍ୱପ୍ନର ଚିତ୍ରିତ ସକାଳ

ରହି ରହି କେହି ଚୁପିଚୁପି କହୁଛି

ତମେ ଆସିବ

ନିଶ୍ଚେ ଆସିବ

Image

 

ଶିକୁଳି

 

ଉଦାସ ଅସହାୟ ନାରୀର କମ୍ପିତ ଓଠ

ଜର୍ଜରିତ ମୁହଁରେ

ଅସରନ୍ତି ବ୍ୟଥା କୁହୁଳେ

ଚିରା ପଣତକାନିରେ

ସାଉଁଟେ ସେ ଖାଲି ଦୁଃଖ

କୁଢ଼ କୁଢ଼ ଦୁଃଖ

ମନବୋଲି

ନିଜର ବୋଲି

ଜୀବନ ବୋଲି

କିଛି ବି ତ ତାର ନୁହେଁ ।

 

ବୋଲକରା ପୋଷାମନା ବିଶ୍ୱସ୍ତ କୁକୁରଟାଏ

ଘର ଜଗିଥାଏ / ଆବୋରିଥାଏ

କେଉଁଠି ଇଞ୍ଚେହେଲେ

ଅଧିକାର ତା’ର ନଥାଏ

ଶୁଖିଲା ରୁଟିଖଣ୍ଡେ କି ଭାତମୁଠେ

ଦିଅ କି ନ ଦିଅ

ମୁହଁମାଡ଼ି ପଡ଼ିଥାଏ

ପିଲାଜନ୍ମକରା ମେସିନ୍‌ଟେ ସେ

ଚିଟିକାର ଧାସରେ

ସିଝୁଥିବା ଖୋଳପାଟେ

ତା’ର ଭିତର ବାହାର

ଆପଣାର ବୋଲି

ଖାଲି ଶିକୁଳିଟେ ଅଛି

ଯେଉଁ ଶିକୁଳିର ଭାଗ୍ୟ

ଖୁଣ୍ଟରେ ବନ୍ଧା

ହେଲେ ଖୁଣ୍ଟର ସଂଜ୍ଞା

ଦୃଶ୍ୟପରି ବଦଳୁଥାଏ

ବେକରେ ପଡ଼ିଥିବା ଶିକୁଳିର ଧର୍ମ

ଚିପିହେବା ଚାପିଦେବା

ଜୋର୍‌ରେ ଆହୁରି ଜୋର୍‌ରେ

ନିଃଶ୍ୱାସ ରୁନ୍ଧି ହୋଇ

ଆକ୍ତାମାକ୍ତା କଲବଲ ହୁଅପଛେ

ବ୍ରହ୍ମାଣ୍ଡ ଫଟେଇ ଚିତ୍କାର କଲେ ବି

ହୁଗୁଳିଯାଏନି କି ଛିଣ୍ଡି ଯାଏନି

ଏକୁକୁର ଭାଗ୍ୟ ଖୁଣ୍ଟ ଜୀବନ

ଶିକୁଳିର ମୋହ

ଝିଅଟିର ଆଜନ୍ମ ସହଚର

କୋକେଇରେ ବନ୍ଧା ହେଲାଯାଏ

ଶେଷ ନିଆଁ ଜୁଇ ନିର୍ବାପିତ ହେଲା ଯାଏ ।

Image

 

ଭାଗ୍ୟ

 

ସେଇ ମୋର ବିମର୍ଷ ଭାଗ୍ୟ

ଘୂରେ ବର୍ଷରୁ ବର୍ଷକୁ

ଯୁଗ, ଜନ୍ମ, ଲିତା ଓ ବିଲିତା

ବିତିଯାଏ

ଟିକେ ବି ଘୁଞ୍ଚେନି ।

 

ମୋ ଭାଗ୍ୟର ଏମିତି କରାମତି

ବହୁବର୍ଷ ତଳେ

ଦିନେ ସ୍ୱପ୍ନରେ ଆସି

ଏମିତି ଠିଆହେଲା

ଖୁବ୍‌ ଦାମିକା ରାଜୁଡ଼ା ପୋଷାକ ପିନ୍ଧି

ହାତରେ ହୀରାର ଛଡ଼ି

ମୁଣ୍ଡରେ ମୁକ୍ତାର

ଝଲମଲ ମୁକୁଟ

ଭାରି ଭାରି ପାଦ ପକେଇ

ବେପରୁଆ ଭାବରେ

ଚାଲି ଆସୁଥିଲା

ଅହଂକାରରେ ତା’ର ମୁହଁ

ଝଲସୁଥିଲା

ମୋର ସବୁ ଆଦର୍ଶ ଅଙ୍ଗୀକାରକୁ

ଗୋଟିଏ ଫୁତ୍‌କାରରେ

ଉଡ଼େଇ ଦେଇ

ମୋତେ ବାଦ୍‌ଶାହୀ ବିଳାସର

ଲୋଭରେ ଆହୁରି

କେମିତି କବ୍‌ଜା କରିବ

ସେମିତି ଅଟ୍ଟହାସ କରି

ମୋ ନୁଖିରା ଆତ୍ମାକୁ

ନୋଚାକୋଚା କରିଦିଏ

କେତେ ତାକୁ ଲୁଚିବି

ଏ ସହର ଗାଆଁ ଇଲାକା ଛାଡ଼ି

ପଳେଇବି

ଭାବିଲେ କି

ଚେଷ୍ଟାକଲେ

କେତେ ଦମ୍ଭରେ ମୁହଁ ଆଡ଼େଇ

ଆଗକୁ ଚାଲିଲେ ବି

ସେ ବାରମ୍ୱାର ଦିଶୁଛି

ବାଟ ତ ଛାଡ଼ିବନି କେବେ

ଦେଖୁଛି

ଏତେ ମଟରଗାଡ଼ି ପେଁ ପାଁ

ଛୁରୀ ଭୂଷା, ବୋମାମାଡ଼

ଦଙ୍ଗାଫସାଦ ଦଳାଚକଟା

ବନ୍ୟା, ମରୁଡ଼ି, ଘରପୋଡ଼ି

ଦୁର୍ଘଟଣା ନିଇତି ଘଟୁଛି

ହେଲେ ସେହି ନିଆଁଲଗା ଭାଗ୍ୟଟାର

କିଛି ବି ହେଉନି

ଆହୁରି ବୀରଦର୍ପରେ

ଦାନ୍ତ ନିକୁଟି

ମତେ ଖତେଇ ହେଉଛି

ମୋର କାକୁସ୍ଥ ଆତ୍ମାକୁ ଧିକ୍‌କାର କରୁଛି

ପ୍ରତିମୁହୂର୍ତ୍ତରେ ହୃଦୟର ଧକ୍‌ଧକ୍‌ରେ

ଜଣେଇ ଦେଉଛି

ମୁଁ ଶକ୍ତିମାନ ସର୍ବବ୍ୟାପୀ

ମୋଠାରୁ ତୋର

ମୁକ୍ତି ନାହିଁ...ମୁକ୍ତି ନାହିଁ ।

Image

 

କ’ଣ ମାଗିବି କୁହ, ତୁମ ପାଇଁ

 

ହୀରା ନୀଳା ମୋତି ମାଣିକ୍ୟ

କି ସୁନା କାତି ଛଡ଼ାଥିବା

ଗୋଟେ ଅଜଣା ପ୍ରଭାତ

କ’ଣ ଦେଇ ତମକୁ ସବୁଦିନେ

ମୋ ହୃଦୟରେ

ସାଇତି ରଖିବି

ଦୁନିଆାର ରାଢ଼ ଆଖିରୁ

ଲୁଚେଇ ରଖିବି

ଖୁବ୍‌ ମୋଟାମୋଟା

ଲୁହା ଚାଦର ଢଳେଇର

ବାଡ଼ ବୁଜି ଦେବି

ଭୟଙ୍କର ଦିଶୁଥିବା

ନିଶୁଆ ଦରୱାନ୍‌ଟେ

ରଖିଦେବି ଗେଟ୍‌ ପାଖରେ

ବଳୁଆ ହିଂସ୍ର ଆଲ୍‌ସିସିଆନ୍‌

କୁକୁର ଦି’ଟା ରଖିଦେବି ଯେ

ପିମ୍ପୁଡ଼ିଟେ ବି ଯାଇ ପାରିବନି

କେହି ଆଖି ଉଠେଇଲେ

ମୋର ବୋଲକରା

ବିଶ୍ୱସ୍ତ ଲୋକମାନେ

ତାଡ଼ିଦେବେ ଆଖି

ପଳପଳ ମାଉଁସ ଝୁଣିଦେବ

କୁକୁର ମୋର

ତମେ କେବଳ ମୋର

ଏକାନ୍ତ ଭାବରେ ମୋର

ମୋର ଏ ଅଖଣ୍ଡ ସାମ୍ରାଜ୍ୟର

ଏକାନ୍ତ ଅଧିଶ୍ୱରୀ

ଏଠି କେବଳ ମୁଁ ପୁରୁଷ, ମୁଁ ଶାସକ,

ମୁଁ ପ୍ରେମିକ

ଆଉ ସମସ୍ତେ ମୋର

ଆଜ୍ଞାକାରୀ ଅନୁଚର

ତମେ ଜାଣିଛ

ତମର ଗୋଟେ ଗୋଟେ

ଅଭିମାନ ପାଇଁ

ମୁଁ ଖୁନ୍‍ ବି କରିପାରେ

ତମ ଆଖିର ଲୁହ

ଦେଖିଲି ବୋଲି

ତମର ଖାସ୍‌ ଦାସୀ ‘ହୀରା’

ମୋର ଚାବୁକ୍‌ ମାଡ଼ରେ

ରକ୍ତାକ୍ତ ହୋଇଗଲା ପଛେ

ପାଟିଫିଟାଇନି

ସେମିତି ମାଡ଼ଖାଇ

ଅସାଡ଼ ହେଇଗଲା ପଛେ

କିଛି କହିଲାନି

ଆଉ ତମେ ବି କିଛି କହୁନଥାଅ

ମୋର ପ୍ରଚଣ୍ଡ କ୍ରୋଧରେ

ମୋର ସାମ୍ରାଜ୍ୟର

ସବୁ ପ୍ରଜା ଥରହର

ଚାବୁକ୍‌, ମାଡ଼, ଫିଙ୍ଗା, ଫୋପଡ଼ା

ଗର୍ଜନରେ ହୁଲ୍‌ସ୍ତୁଲ୍‌

ଏତେସବୁ ପରେ ବି

ତମର ମୁହଁଫୁଲା

ସେମିତି କାଏମ୍‌ ଥାଏ

ତମ ଅବଜ୍ଞାରେ

ମୋର ଉଦ୍ଧତ ଅଂହକାରୀ

ମୁଁ ପଣଟା

ଏକ୍‌ବାରେ ହାଲିଆ

ହୋଇଯାଉଥାଏ

କେମିତିକା ଅବଶରେ

ମୁଁ ଘାଲେଇ ପଡ଼ୁଥାଏ

ତଥାପି...ତଥାପି

ତମକୁ ଜିତିପାରୁ ନ ଥାଏ

ତମ ନିଷ୍ଠୁର ଅଯତ୍ନପଣ

ଜିଦ୍‌ଖୋର ଖିଆଲିମନ

ଆହୁରି କଲବଲ କରିବାକୁ

ମୋ ପୌରୁଷକୁ

ଝୁଣିବାକୁ

ସବୁବଳେ

ତିଆର୍‌ ରହିଥାଅ ।

Image

 

ଟୋପାଏ ବିଶ୍ୱାସ

 

ଚାରିଆଡ଼େ ଖୁବ୍‌ ଭିଡ଼

ପୋକମାଛି ସାଲୁବାଲୁ

ମଣିଷଙ୍କ ଧାଁଧଉଡ଼

ଆଳୁବସ୍ତା ପରି ଫୋପାଡ଼ିଲେ

ଯିଏ ଯେଉଁଠି ପଡ଼େ

ଗୋଡ଼ହାତ ଚୁନା ହୁଏ

ଛିଡ଼ା ହେବାକୁ

ଜାଗାଟିକେ ନାହିଁ

ଗୋଡ଼ତଳେ ଥିବା ଟିକି ଛୁଆଟିକୁ

ଦଳିଦେଇ ପେଷିଦେଇ

ବସ୍‌ ଉପରକୁ ଉଠିଗଲେ ଯାଏ

କିଏ ମରୁଛି କି ଆକ୍ତାମାକ୍ତା ହେଉଛି

ଆମର କ’ଣ ଯାଏ ଆସେ

କେଉଁଠି କିଏ ମରିଗଲେ

ଆହା ପଦଟିଏ ଖସେ ନି

ହୃଦୟତ କେବେଠୁଁ

ଡଷ୍ଟବିନ୍‌ରେ ପଡ଼ିଛି

କଚରା ଗଦାରେ ସଢ଼ୁଛି

ତରକି ଟିକେ ଚାହୁଁଛି

ଆଡ଼ ଆଖିରେ ଭଲା

କେହି ଟିକେ ଫେରିଚାହିଁବ

ଦଉଡ଼ରୁ ଅଟକି ଟିକେଭଲା ଥମିଯିବ ?

ଅକାଶସାରା ଧୂଳିଭର୍ତ୍ତି

ତାରା ଆଉଫୁଲ ହେଇ ଫୁଟେନି

ତୋଫୋ କଇଁଫୁଲିଆ

କିରଣରେ ଝୁମି ଝୁମି

ସାରାରାତି ଭିଜିବାର ରୋମାଞ୍ଚତ

ଆଉ ଆଖିରେ ନେସି ହେଉନି

ପାହାଡ଼କୁ ହାତ ବଢ଼ାଇଲେ

କାରଖାନା ଧୂଆଁରେ

ଛିଟିକି ପଡ଼ୁଛି

ଏତେକଥା ହେଉପଛେ

ଆଞ୍ଜୁଳାଏ ରକ୍ତଭର୍ତ୍ତି

ବିଶ୍ୱାସରୁ ଚାରାଟିଏ

ଅଙ୍କୁରିବ ବୋଲି

ସ୍ୱପ୍ନ ତ ମରିନି ।

Image

 

ବର୍ଷା

 

ବର୍ଷା ପଡ଼େ ଝର୍କା ଛାତ

ନଦୀ ଝର୍ଣାରେ

ବର୍ଷା ଟୋପା ବତୁରାଏ ମାଟିକୁ

ଏକ୍‌ବାରେ ଛେଚିକୁଟି ସମତୁଲକରେ

ଫୁଲଫଳ ମଞ୍ଜିଯାହା ଫିଙ୍ଗ

ଚେରେଇ ଯାଏ

ନୂଆପତ୍ର କଅଁଳେ

ପେଟରେ ଭ୍ରୁଣଟିଏ ରୁଗୁରୁଗୁ ଯନ୍ତ୍ରଣାରେ

ହାବୁକା ମାରେ

ହାଲିମ ହାଇରେ ଘାଲେଇଯାଏ

ରାତି ନିଦ ହୋଇ ଓହ୍ଲାଏ

ମାଟିକୁ ଥାପୁଡ଼ାଇ ଦିଏ

ନୂଆ ସକାଳକୁ ସରାଗରେ

ଚାହିଁଥାଏ

ବର୍ଷା କିନ୍ତୁ ଅବିରଳ ଝରୁଥାଏ

ମାଟିକୁ ଚୁମିଲେ

ମହୁଲିଆ ମାଟିବାସ୍ନାରେ

ଶିହରୁଥାଏ ଦେହମୁହଁତାତି

ତମ ନିଃଶ୍ୱାସରୁ

ଆହ୍ଲାଦରୁ

ରସ ପରିଥିଲେ ବି

ଆହୁରି ତରଳିବାକୁ

ବାରମ୍ୱାର ଝୁମିବାକୁ

ଭାରି ଇଚ୍ଛା ହୁଏ

ଚୁମାରେ ଚୁମାରେ ମାଟି ଭିଜିଗଲେ ବି

ବର୍ଷା ଟିକେ ଥମେନି

ହଉ ! ଉଷୁମ ଟାଣିବାକୁ

ଦେହତ ଅଛି

ଆଉ ଡର କ’ଣ

ବର୍ଷା କେତେ ଝରିବ ଝରୁଥାଉ....

Image

 

ଅପେକ୍ଷାରେ

 

ସାବ୍‌ଜା ପତ୍ର ଗହଳିରୁ

ଦିଶେ ତମ ମୁହଁ

ତମର ସେ ଅପାଶୋରା ହସ

ସ୍ନେହମଖା ପରଶ

ଆଜି ମନେପଡ଼େ ଆଗୋ !

 

ଖୁବ୍‌ ମନେପଡ଼େ

ଭିଜା ଭିଜା ଜ୍ୟୋସ୍ନାରଣୁ

ବର୍ଷାଧୁଆ ଜହ୍ନ

ଲାଜୁଆ ଆଖିରେ

ତୁମ ଉଙ୍କିମାର

ସୃଷ୍ଟିରେ ସେ ଆଦିମ ରାସ

ଝରଣାର କୁଳୁକୁଳୁ ଗୀତରେ

କେତେ ଯେ ନାଜଣା ଫୁଲଫୁଟେ

ଅବଶରେ ତମେ

ଯେବେ ନଇଁପଡ଼

ଶୋଇପଡ଼

ତମ ଖୋଲା ଝର୍କା ଦେଇ

ଦମକାଏ ମିଠା ପବନ

ପଶିଆସେ

ମୁକୁଳିତ କରିଦିଏ

ସବୁରୁଦ୍ଧ ଅଭିମାନ

ଏଠି ବଣର ସବୁଜିମା

ବର୍ଷା ବସନ୍ତ ଶୀତ ସବୁ

ସତରେ ପ୍ରାଣମୟ ମହନୀୟ

ହୃଦୟର କବିତା ଆସରେ

ତମପାଇଁ ଗୀତର ସୁର

ତୁହାଇ ତୁହାଇ ଗାଉଥାଏ

ସେଇ ଗୋଟିଏ ଗୀତ

ଚଢ଼େଇ କଣ୍ଠରେ କୋଇଲିର ସୁରେ

ମାୟାତୀତ ମଧୁର ଛନ୍ଦରେ

ମମତାର ମୂର୍ତ୍ତିଟିଏ ତମେ

କେତେବେଳେ ମନେହୁଅ

ପୁଣି କେତେବେଳେ ଗେହ୍ଲା ସାନପୁଅ ।

ଆଢ଼ୁଆଳେ କବେ ପୁଣି

ମନେହୁଅ ଗମ୍ଭୀର ଉଦାସ

ଉଦୟ ଅସ୍ତର

ଏ ମଧ୍ୟାହ୍ନ ବେଳାରେ

ତଥାପି ତମକୁ ମୁଁ

ଯନ୍ତ୍ରଣାର ଜଉଘରେ

ଯାଜ୍ଞସେନୀ ସାଜି

ଅପେକ୍ଷା କରେ

କେବେ ପୁଣି

ଦୁଃଶାସନର ରକ୍ତରେ

ହୋରିଖେଳି

ମେଣ୍ଟାଇବି ମୋ ମନରେ ଓରିମାନ

ମୋ ପାଦରେ ରକ୍ତର ଅଳତା

ଅଭାବିତ ଅନନ୍ତ ତୃଷା

ତମ ଦେହ ମହକରେ

ମହକିତ ମୋ ଅଙ୍ଗନ

ଏବେ ବି କୁରୁଳୁଥାଏ

ମାତାଲ୍‌ ହେଉଥାଏ

ବିଶ୍ୱାସରେ ପୋଷାକ ପାଲଟି ମୁଁ

ଫୁଲର ପାଖୁଡ଼ା ଛିଣ୍ଡାଇ

ଯିବି ସେ ଅମଡ଼ାବାଟରେ

କଢ଼ରେ ଛାଡ଼ିଦେଇ

ଶ୍ରଦ୍ଧାର ସ୍ତବକ

ତମେ ପୁଣି ଝୁରିବ

ଯୁଗ ଯୁଗ ଧରି

ଆଶାଟିଏ ଅଙ୍କୁରିତ ହେବାଯାଏ ।

Image

 

ଦୁଃଖ

 

ସେହି ଅଙ୍ଗନବାଡ଼ି ଦିଦିର

ଆଖିରେ ହତାଶା

ଆଉ ଗାଆଁର ଉଷୁମ ଜରୁଆ ଗନ୍ଧ

ରୁଗ୍‌ଣ ବେକାର ସ୍ୱାମୀର

ପେଜୁଆ ଗହାଣୀ

ଅଳରୁଣୀଏ ମଇଳା ଲୁଗା ବୋଝରେ

ତଥାପି ଝିଅଟି

ବଞ୍ଚିବାର ସ୍ୱପ୍ନ ବୁଣେ

ଭାବପ୍ରବଣତାରେ ଜୁଡ଼ୁବୁଡ଼ୁ ହୁଏ

ନାରୀତ୍ୱର ଦୃଢ଼ତା ନେଇ

ଦୁର୍ଗା ପରି ଓହ୍ଲାଇ ଆସେ

ଧରବକ୍ଷକୁ

କେତେବେଳେ ସେ ନିରିମାଖି

ବିବଶା ବିଧବା

କେତେବେଳେ ପୁଣି

ଯଉତୁକ ନିଆଁରେ

ଜଳୁଥିବା ଅସହାୟା

କେତେବେଳେ ଧର୍ଷଣ ଧାସରେ

ମଉଳିଥିବା କିଶୋରୀ କଳିକା

ଅବା କେଉଁ ଚୂନ ଭାଟି

କୋଇଲା ଖଣି ଖାଦାନରେ

ରକ୍ତ ନିଗାଡ଼ି ଖଟୁଖଟୁ

ମଜୁରୀ ପାଉନଥିବା

ଅବହେଳା ଯୌନ ଯାତନାରେ

କୋରି ହେଉଥିବା ନାରୀଟିର

ଘାଇଲା ଆତ୍ମା

ପୁଣି ଦିନେ ଯାତନାର ଧୂଆଁରେ

ଗାଁମୁଣ୍ଡ ନଈକୂଳ ମଶାଣି ମଥାରେ

ଦେଖୁ ଦେଖୁ ମିଶିଯାଏ

କରୁଣାର ଦୟାରେ କି ସହାନୁଭୂତିରେ

ଆହା ! ପଦଟିଏ ତଥାପି

କାହା ମୁହଁରୁ ଝରିପଡ଼େନି

ଦିନପରେ ଦିନ

ସକାଳୁ ସଞ୍ଜଯାଏ

ଅଳିଅର୍ଦ୍ଦଳି ସହୁଥିବା

ନିରବଧି ଜଳୁଥିବା

ନାରୀଟିର ନିଜର ମନବୋଲି

ସତରେ କ’ଣ କିଛି ନାହିଁ ?

ଅଭିମାନରେ କେବେ ବି

ନିଜର ମୁହଁ ଥମ୍‌ ଥମ୍‌ କରିପାରେନି

ନିଜରୁଚିରେ ଖାଏନି

ହେଲେ ତମେ ସବୁ ଦେଖ

ଆଖିବୁଜି ଯେତେସବୁ ଅନ୍ୟାୟ କରୁଥାଅ

ତମର କ’ଣ ହୃଦୟ

ବୋଲି କିଛି ନାହିଁ

ଖାଲି ପୁରୁଷପଣର ଘୋଡ଼ାରେ

ତେମ ଦଉଡ଼ ସହସ୍ର ଯୋଜନ

ଯେତେବେଳେ ଚାବୁକ୍‌ ମାରିବ

ସେ ଉଠି ବସିବ

ହେଉପଛେ ରକ୍ତାକ୍ତ

ପାଶବିକତାର ଖୋଳରେ

ତମେ ବାଘ ପାଲଟିଯାଅ

ହେଣ୍ଟାଳ ଛାଡ଼

ଆଉ ବାରମ୍ୱାର ସେ

ଜଳିପୋଡ଼ି

ନାରଖାର ହେଉଥାଏ

ଜୁଇ ପାଲଟୁଥାଏ ।

Image

 

ଯୂପକାଠ

 

ଅନେକ ଘଟଣା ଘଟିଥିଲେ ବି

ଧର୍ମଘଟ ହୋହାଲ୍ଲା ପ୍ରତିବାଦରେ

ସୁରେଖା ପଟ୍ଟନାୟକର

ହତ୍ୟାକାରୀକୁ ଦୋଷୀ

ସାବ୍ୟସ୍ତ କରାଯାଇ ପାରିଲାନି

ଦୋଷୀ ସେମିତି

ଛାତିଫୁଲାଇ

ଆଉଗୋଟେ ବରଣମାଳା ପିନ୍ଧି

ପୁଣିଥରେ ଗୋଟେ ଝିଅର

ଜୁଇ ସଜାଡ଼ିବାରେ ବ୍ୟସ୍ତ

ସୁରେଖା ପଟ୍ଟନାୟକ ତ ଯଉତୁକ ଧୂପକାଠେ

ଜଳି ଜଳି ନିଃଶେଷ ହେଲା

ହେଲେ ମଲାବେଳେ ତା’

ବିକୃତ ପୋଡ଼ା ମୁହଁରେ ଲାଖିଥିବା କରୁଣ ହସ

ଆଜି ବି ମୋ ଆତ୍ମାକୁ

ଛେଚିକୁଚି ନାରଖାର କରେ

ତା’ର ସେ ଅଧାଜଳା ହାତରେ

ହାତମୁଠାକୁ ଧରି

କୁନ୍ଥେଇ କୁନ୍ଥେଇ

ବଡ଼ କଷ୍ଟରେ

କହିଥିଲା ମରିବାକୁ ଜମା

ଇଚ୍ଛା ନାହିଁ ଲୋ ମାଳ ଅପା

କୁନୁ ମୋର ତତେ ଲାଗିଲା

ତା’ପରେ ସୁରେଖା ଚିରଦିନ ପାଇଁ

ଶୋଇଗଲା

ଅକାଳରେ ଝରିପଡ଼ିଲା

ଆଜନ୍ମ ଦୁଃଖ ସହୁଥିବା

ଲହୁଲୁହାଣ

ତା’ ଦୁଃଖୁନୀ ଆତ୍ମା

ଆଇନ ତା ବାଟରେ ଯାଏ

ସତକଥାଟା ମିଛ ମକଦ୍ଦମାର

ରୂପନିଏ

ମୋଟା ଟଙ୍କାର ଫିସ୍‌

ସତକୁ ମିଛ କରେ

ଆଉ କୁନୁ ଏଡ଼ୁରୁ ଏଡ଼ୁଟେ ହୁଏ

ଚାକିରୀ କରେ

ବାପା ଭଳି ପୁଣିଥରେ

କାଠ ଖୁଣ୍ଟଟେ କିଣେ

ଅଗଣାରେ ପୋତେ

ଝିଅଟେ ବୋହୂ ହୋଇ

ନାଲିପାଟ ପିନ୍ଧି ଅଳତା ଲାଗାଇ

ନଇଁ ନଇଁ ଆସେ

ସେଇ ଖୁଣ୍ଟରେ

ଆଜୀବନ ବନ୍ଧା ହେବା ପାଇଁ

ପୁଣିଥରେ ସେଇ ଏକା ଦୃଶ୍ୟର

ପୁନରାବୃତ୍ତି ପାଇଁ

ସବୁଦିନେ ନୂଆ ବୋହୂଟି

ମୁହଁ ଶୁଖାଇ

ଚିରା କାନି ପଣତରେ

ଲୁହ ପୋଛୁ ପୋଛୁ

ଅଗଣା ଓଳାଉଥାଏ

ଦିନେ କୁନୁ ପୁଣି

କେଡ଼େ ଜାକଜକମରେ

ଆଉଗୋଟେ ସୁନାଖୁଣ୍ଟ

ଆଣି କାଠଖୁଣ୍ଟ

ପାଖେ ପିଟିଦିଏ

ସଉତୁଣୀର ଭାରି ଗହଣା

ପାଟଶାଢ଼ୀ ରୂପର ଚମକରେ ଦମକରେ

ଏକାବାରେ ନୋଚାକୋଚା

ହେଇଯାଏ ନୂଆବୋହୂ

ଗରିବ ଘର ନିରିମାଖି ଝିଅଟି

ସବୁ ଓରିମାନ ମିଳେଇଯାଏ

ସ୍ୱାମୀ ଆଉ ସଉତୁଣୀର

କଡ଼ା ମିଞ୍ଜାସ

ଫୋପାଡ଼ିଲା କଥାରେ

ଝାଉଁଳି ପଡ଼େ

କାହିଁ କେବେ ସରାଗରେ

କୁନୁ ଆଉଁଷିଥିଲା ବୋଲି

ରୋମାଞ୍ଚରେ ଉଜାଗର କେତେ ରାତି

ହେଲେ ଆଜିତ

ଖୁଣ୍ଟବନ୍ଧା ଅଲୋଡ଼ା ମନରେ

ଯେଉଁଠି କଢ଼ କେବେ

ଫୁଲ ହୋଇ ଫୁଟେନା

କି ରାତି କେବେ

ସକାଳ ହୁଏନା ।

Image

 

ତସ୍‌ଲିମା

 

ତସ୍‌ଲିମା ତୁ ତ

ଗୋଟେ ଛା’ର ନାରୀ

ତୁ କ’ଣ କରିପାରିବୁ ଯେ

ବିଦ୍ରୋହ କରିବା କ’ଣ

ତୋ ବାଆଁ ହାତର ଖେଳ ?

ତୁ ଜାଣିନୁ କି

ତ ପରା ଗୋଟେ ଝିଅ

ଯାହାର ପାଦ

ମାଟିର ଚେରରେ ଆଜନ୍ମ ବନ୍ଧା

ମନ ଆତ୍ମା ଚିହ୍ନ କେବେଠୁ

ନେସା ହୋଇ ରହିଛି

ତୁ କେମିତି କଥା କହିବୁ ଯେ

ତୋ ପାଇଁ ପରା

ଘର ବାହାରେ ଦୁନିଆ ସବୁ ମନା

ସତସତିକା ଜୀବନଟେ ପାଇଁ

କ’ଣ ଲୋଡ଼ା ଯେ

କେତେ ପାଦ ଜମି

ସ୍ନେହର ବଖୁରିଏ ଘର

ମୁଠେ ତତଲା ଭାତ ମାଛ ବେସର

ହେଲେ ସେତକ କ’ଣ ପୋଡ଼ା ଝିଅର

କପାଳରେ ଲେଖା ଅଛି ?

ଝିଅଟିପାଇଁ ନିଜ ପାଇଁ

ମୌଳିକ ଅଧିକାରର

ସର୍ବନିମ୍ନ ମୂଲ୍ୟ ପାଇଁ

ସ୍ୱାଧୀନ ନିରପକ୍ଷେ ନିରୁପଦ୍ରବ

ଜୀବନଟେ ପାଇଁ

କେତେ ଦୁଃଖ ଭୋଗିଲୁ

ମୋର ତସ୍‌ଲିମା ।

 

ନିଜ ଘରୁ ନିଜ ଦେଶୁ ଦେଶାନ୍ତରୀ ହେଲୁ

ବାଙ୍ଗାଲାକୁ ମା’କୁ

ଭଲପାଇଲୁ ବୋଲି

ନା ମୟମନସିଂରେ ତୁ ରହିପାରିଲୁ

ନା କଲିକତାରେ

ରକ୍ତପିପାସୁ ମୁଖାପିନ୍ଧା

ନିଜ ଘରୁ ନିଜ ଦେଶୁ ଦେଶାନ୍ତରୀ ହେଲୁ

ବାଙ୍ଗାଲାକୁ ମା’କୁ

ଭଲପାଇଲୁ ବୋଲି

ନା ମୟମନସିଂରେ ତୁ ରହିପାରିଲୁ

ନା କଲିକତାରେ

ରକ୍ତପିପାସୁ ମୁଖାପିନ୍ଧା

ନରପିଶାଚ ମାନେ

ଜାଗା ଟିକେ ତତେ ଦେଲେନି

ତୋର ଅପ୍‌ସରୀ ଶବ୍ଦର

ଜୀବନ୍ମୟୀ ଜ୍ୟୋତିର୍ମୟୀ

ଶବ୍ଦ ଶୋଣିତରେ

କାହୁଁ ଏତେ ଶକ୍ତି ଭରିଥିଲା ଯେ,

ସବୁ ନିର୍ବାକ୍‌ ନାରୀ କଣ୍ଠରୁ

ନିଆଁ ବର୍ଷିଲା

ଏତେଦିନକେ ସେ ନିଜକୁ ଚିହ୍ନିଲା

ସେ ମଣିଷଟେ ଜୀବନଟେ

ତୁ ଆଉ କାନ୍ଦନା ମା’ ମୋର ତସ୍‌ଲିମା ।

 

‘ଦ୍ୱିଖଣ୍ଡିତ’କୁ କାଟିକୁଟି

ଫିଙ୍ଗିବାର ବିଫଳ ପ୍ରୟାସ

ଯେତେ କରୁଥିଲେ ବି

ତୋର ମୃତ୍ୟୁଷ୍ମତୀ ଶବ୍ଦର ତରବାରୀକୁ

ସାମ୍ନା କରିବାକୁ

ଏ ସହସ୍ରାର୍ବ୍ଦୀ ଅସମର୍ଥ ....ଅକ୍ଷମ....ଅଥର୍ବ

ଏ ଧରାରେ

ତୋ ପାଇଁ ମୋ ପାଇଁ

ବତୁରା ମାଟି ବାସ୍ନାରେ

ମହମହ ବାସିଯିବା ପାଇଁ

ପବନଟିକେ ନାଇଁ

କଲିକତାକୁ ଦ୍ୱିତୀୟ ମାତୃଭୂମି

ବୋଲି ତୁ ସିନା ଭାବିଲୁ

ହେଲେ ମୁଷ୍ଟିମୟ

ଧର୍ମନିରପେକ୍ଷତାର ମୁଖାରେ

ସାମ୍ୟବାଦର ବୀଜ ବୁଣୁଥିବା

ଘୁଣଖିଆ ଶାସନତନ୍ତ୍ର

ତତେ ତଡ଼ି ଦେଇ

ସାବ୍ୟସ୍ତ କରିଦେଲା

ସବୁରି ଉପରେ

କ୍ଷମତାର ସ୍ୱାର୍ଥପର ଲଢ଼େଇ

ସକଳ ବିରୋଧ ବୈଷମ୍ୟ ସତ୍ତ୍ୱେ

ନିର୍ମମ ରକ୍ତଦାହରେ

ବାରମ୍ୱାର ତୁ ଲହୁଲୁହାଣ

ହେଉଥିଲେ ବି

ବାଙ୍ଗ୍‌ଲୀର ସେଇ ସୂର୍ଯ୍ୟୋଦୟ

ଓଦାମାଟିକୁ

ତୁ ଝୁରିହେଉ

ତୁ ତ ଜାଣିଛୁ !

 

ନାରୀକୁ ଚିରକାଳ

ନିର୍ଯ୍ୟାତିତ, ନିର୍ବାପିତ, ନିଷ୍ପେଷିତ

କରି ରଖିଥିବାର ଠିକା

ପୁରୁଷତନ୍ତ୍ର ମନାସ୍ମତା ନେଇଛି ବୋଲି

ତୋର ଅଗ୍ନିବର୍ଷୀ ଆୟୁଷ୍ମତୀ ଶକ୍ତିକୁ

କେତେ ଚେଷ୍ଟା କଲେ ବି

ପ୍ରତିହତ କରିପାରିବେନି

ଧର୍ମନିରପେକ୍ଷ ଭାରତ ଦେହରେ

ପିନ୍ଧିଥିବା ସହିଷ୍ଣୁ ଜାମାରେ

ମୌଳବାଦର ରକ୍ତଛିଟା

କେବେଠୁ ଲାଗିସାରିଛି ତସ୍‌ଲିମା !

 

ତୁ ଆଉ କାନ୍ଦନା

ବ୍ରହ୍ମପୁତ୍ର ନଦୀ ଯିଏ

ତୋର ମୋର ଭୂଇଁଦେଇ ବୋହିଯାଏ

ମଝିରେ କଣ୍ଟାବାଡ଼

ସେ ଜାଣେନା ବିଭକ୍ତ ଭାରତବର୍ଷ

ସୀମା ସରହଦ କି ଲୁହର ଟଳମଳ ଅକ୍ଷର

ମୁଣ୍ଡଟେକି ନିର୍ତ୍ତୀକ ଭାବରେ

ଚାଲିପାରିବା ପାଇଁ

ରାସ୍ତାଟିଏ ତ ତୁ ଚାହିଁଥିଲୁ

ଲୋକଭର୍ତ୍ତି ରାସ୍ତାରେ

ଝିଅଟେ ଚାଲୁଥିଲେ ବି

କେହି ତା’ର ଉପସ୍ଥିତିକୁ

ସ୍ୱୀକାରନ୍ତିନ ବୋଲି

ତୋ ମନରେ ଏତେ ଦୁଃଖ

ନାରୀଟିଏ ବଳକାଟେ

ବଳିପଡ଼ିଥିବା ଭାତମୁଠେ

ନହେଲେ

କୁକୁର, ବିଲେଇ, ଘୁଷୁରି ରହୁଥିବା

ଖୁଆଡ଼ରେ

ଖୁନ୍ଦାଖୁନ୍ଦି ଜାଗାଟିକେ ବୋଲି

କ୍ଷୋଭରେ ହତାଶାରେ

ତୁ ଫାଟି ପଡ଼ିଲୁ

ଅଭିମାନରେ ମନ୍ଥି ହେଲୁ

ତସ୍‌ଲିମା !

 

ତୁ ଏ ଶତାବ୍ଦୀର

ଅସୀମ ସାହାସିନୀ

ଶକ୍ତିମୟୀ ପ୍ରାର୍ଥନା

ମହା ବିପ୍ଳବିଣୀ ଯୋଜନାବ୍ୟକ୍ତା

ଶବ୍ଦ ତୋର ଦାବାଗ୍ନି

ତୋ ଗଢ଼ା ଆଦର୍ଶର

ପ୍ରତିଲିପିରେ

ମୁକ୍ତିଦାୟିନୀ ନାରୀ

ମହୀଷ୍ମତୀ ବିପୁଳା

ମହାବ୍ୟକ୍ତିତ୍ୱମୟୀ ମହାମାୟା

ଅଗ୍ନିଶିଖା

ଅନିର୍ବାଣ ତୁ ସେଇ

ଅମ୍ଳାନ ଦୀପାଶିଖା

ତସ୍‌ଲିମା...ତସ୍‌ଲିମା.....ତସ୍‌ଲିମା ।

Image

 

କନ୍ଧମାଳ

 

ଦଙ୍ଗାର ମୁହଁହୀନ ଶୀତଳ ଥମ୍‌ ଥମ୍‌

ନୂଆ ବର୍ଷର ସକାଳ

ଆସିବା ପୂର୍ବରୁ

ଶୀତର ଆରଣ୍ୟକ ଗୁମାନକୁ

ମନ ପୂରାଇ ଶୋଷି ନେଲାବେଳକୁ

ବଡ଼ଦିନର ମହୋତ୍ସବକୁ

ସଫେଦ ଦୁଃଖରେ

ଢାଙ୍କି ଦେଲା

ନିଜ ନିଜ ଭିତରେ କୁହୁଳୁଥିବା

ହିଂସାର ସର୍ବଗ୍ରାସୀ

ଉଲଗ୍ନ ଜିହ୍ୱା ଏକ୍‌ବାରେ

ଚାଟିଚୁଟି ସଫା କରିଦେଲା

ସବୁଦିନେ ଏକାଠି ସୁଖଦୁଃଖ ହେଉଥିଲେ;

ପୁନିଅ ପରବ ପାଳୁଥିଲେ

ଜନମ ମରଣ ପ୍ରଳୟ ବିପତ୍ତିରେ

ଏକାଠି ସାଙ୍ଗ ହୋଇ ଲଢ଼ୁଥିଲେ

ବାହାଘର, ଯାନି, ଯାତ, ଧାନ ଅମଳ

ସବୁଥିରେ ସାହିଭାଇଙ୍କର

ସ୍ନେହ ସ୍ପର୍ଶ ବୋଳି ହେଉଥିଲେ

ଯୀଶୁ, ରାମ, ଆଲ୍ଳା ସଭିଏଁ

ଚିରକାଳ ଗୋଟେ କଥା

ଶିଖାଇଛନ୍ତି

ସବୁରି ଉପରେ ମାନବ ସତ୍ୟ

ସବ୍‌କା ମାଲିକ୍‌ ଏକ୍‌

ଧର୍ମନିରପେକ୍ଷତାର ଧ୍ୱନି ଦେଉଥିବା

ଭାରତବର୍ଷ

ଶାନ୍ତିପ୍ରିୟ ଅତିଥି ବତ୍ସଳ ଓଡ଼ିଶା

ଆଜି କିନ୍ତୁ ପାଲଟିଛି

ନରସଂହାରର ଦୁର୍ଗ

ବ୍ରାହ୍ମଣୀଗାଁ, ଫିରିଙ୍ଗିଆ, ବାରଖମା

ଦାରିଙ୍ଗିବାଡ଼ି, ଦାସିଙ୍ଗବାଡ଼ି, କଟିଙ୍ଗିଆ

ଖଜୁରୀପଡ଼ା, ଡିଙ୍ଗିରାଗାଁ, ଗେରୁପଡ଼ା

ବାଲିୁଗୁଡ଼ା, ଟିକାବାଲି ସବୁଆଡ଼େ

ଖାଲି କୁଢ଼କୁଢ଼ ଶବ, ପାଉଁଶ

ଆଉ ନିଆଁର ଲେଲିହାନ ଶିଖା

ଓହ୍ଲାଇ ଦେଇଛି ସବୁଦିନ ପାଇଁ

ଦେହରୁ ଧୂଳିର ପୋଷାକ

ଅବିଶ୍ୱାସର ଝଡ଼ରେ

ସବୁଦିନ ପାଇଁ

ନିଖୋଜ ହୋଇଯାଇଛି

ଟୋପାକ ବିଶ୍ୱାସ

କନ୍ଧମାଳର

ହାଡ଼ଭଙ୍ଗା ଶୀତରେ

କାଙ୍କୁରି କୁଙ୍କୁରି

ଶୋଇଥିଲା ବେଳେ

ଧାନଅମଳ ସ୍ୱପ୍ନକୁ

ସାଉଁଟୁଥିଲା ବେଳେ

ଗୁଜବ ନିଆଁରେ

ସବୁ ଜଳିପୋଡ଼ି ପାଉଁଶ ହେଲା

ଜମିରେ ଧାନକଟା ହୋଇପାରିଲାନି

ଘର ନାହିଁକି ଖଳା ନାହିଁ

ଖାଇବୁ କ’ଣ ରହିବୁ କେଉଁଠି ?

ଭୟରେ ସଂତ୍ରସ୍ତ ଜୀବନ

କର୍ଫ୍ୟୁରେ ବାହାରକୁ

ବାହାରିବାର ଯୁ ନାହିଁ

ଓଳିଏ ଖାଇଲେ ଓଳିଏ ଓପାସ

ଟେମ୍ପୋ ପୋଡ଼ିଗଲା, ରିକ୍ସା ପୋଡ଼ିଗଲା

ହଳଦୀ ଚାଷ ଉଜୁଡ଼ିଗଲା

କ’ଣ ଲାଭ ହେଲା କାହାର

ଅଜସ୍ର ନରସଂହାର କରି

ରକ୍ତ ହୋରିଖେଳି

ରକ୍ତମୁଖା ମୌଳବାଦୀ

ନିଜ ଅହଂକୁ ନିଜ ସାହିପଡ଼ିଶା

ଘରଲୋକଙ୍କ ରକ୍ତରେ ସାଉଁଳି

ତମେ କ’ଣ ସତରେ ଜିତିପାରିଲ ?

ତମେ ସେଥିପାଇଁ କ’ଣ

ବାସ୍ତୁହରା ଛିନ୍ନମୂଳ ହୋଇନ ?

ନିଜର ବୋଲି କାହାକୁ

ଡାକିବାକୁ ଦିନେ ଆଉ କେହି ନଥିବେ

କୁଢ଼ କୁଢ଼ ପଚାମାଂସ ଶବ ଭିତରେ

ଆର୍ଖିତ ମାନବିକତାଟି କ୍ରମଶଃ ରକ୍ତାକ୍ତ ହେଉଥିବ

ଅସହିଷ୍ଣୁତାର ଫୁଙ୍ଗୁଳା ପାଦରେ

ଅବିଶ୍ୱାସ ହୃଦୟହୀନତାର

କଣ୍ଟା ବାରମ୍ବାର ଫୋଡ଼ି ହୋଇ

ଏମିତି ନିରୀହ ରକ୍ତପାତ

ଜାରି ରଖୁଥିବ ।

Image

 

କାର୍‌ଗିଲ୍‌

 

କାର୍‌ଗିଲ୍‌ରୁ ଭାସିଆସେ

ବୋଫର୍ସଗନ୍‌ର ଭାରି ଆବାଜ୍‌

ଗୁଳିର ଶେଯେ

ରକ୍ତାକ୍ତ ପୃଥିବୀ

ପଥୁରିଆ ସିଧା ପାହାଡ଼ର

କାନୁଚିରି ଜୀବନକୁ ବାଜିଲଗେଇ

ଲଢ଼େଇରେ ନିଃଶେଷହୁଏ

ଜବାନ୍‌ ଆମରି

ସୀମନ୍ତିନୀର ସିନ୍ଦୂର ଲିଭେ

କାଚଭାଙ୍ଗେ

ବୋଉର ଉଷମକୋଳ ଉଜୁଡ଼ିଯାଏ

ବାପାର ଆଶାର ସୁନିଆ

ଆହୁରି ଦୂରନ୍ତ ଜଣାପଡ଼େ

ପୁଅର ଫେରନ୍ତା ବାଟକୁ

ଚାହିଁ ଚାହିଁ

କଫିନ୍‌ରେ କ୍ଷତବିକ୍ଷତ

ପୁଅର ଶବଫେରେ

ଶୋଭାଯାତ୍ରା, ସମ୍ମାନ, ଅର୍ଥଦାନ ରାସ୍ତା ନାମକରଣ

ପର୍ବପରେ ଶୁଖିଲା

ପରମବୀରଚକ୍ର ଉପାଧୀ ମଣ୍ଡିଦେଇ

ଆମେ କିନ୍ତୁ ଚୁପ୍‌ଚୁାପ ବସିଯାଉ

ହେଲେ ଅଳକା କାଜଲ୍‌, ସୁନୀତା, ସ୍ୱପ୍ନାଙ୍କ

ଆଖିଲୁହ

ହୃଦୟ ଥରା କୋହ

କ୍ଷୀର ଛାଡ଼ିନଥିବା

କୋଡ଼ପୋଛା ପୁଅଝିଅଙ୍କର

‘ବାପା’ ଦରୋଟି ଡାକର ତ

କବରଖୋଳା ସରିଛି

ଖାଲି କ’ଣ

ପଦକଟେ ଝୁଲେଇ ଦେଇ

ଅଳକା ଅଙ୍କୁରର ବାପା ଡାକ

ବନ୍ଦ କରିହେବ ?

 

ବାପା ମା’ର ଅଲିଅଳ ଗେହ୍ଲାପୁଅ ତ

ଶୋଇପଡ଼ିଛି ସବୁଦିନ ପାଇଁ

ଶହୀଦର ଟୀକା ଲେଖା ସରିଛି

ଶୋଭାଯାତ୍ରାରେ ଯାଇ

ଦେଶବାସୀ କାମ ତୁଟାଇ ଦେଇଛନ୍ତି

ଅକାରଣ ପ୍ରାଣପାତ

ନରସଂହାର ଯୁଦ୍ଧର

କ’ଣ ମିଳେ କହ ତ !

 

ଯୁଦ୍ଧର ରକ୍ତନଈ

କୁଢ଼ କୁଢ଼ ଶବ ପାହାଡ଼ରେ

ଚଢ଼ି ଚଢ଼ି ଆତ୍ମା ଲହୁଲୁହାଣ

ତରଳି ଯାଉଥିବା

ଜୀବନର ପାଉଁଶ ବୋଝରୁ

ସ୍ୱପ୍ନ ଜରଜର ଟୋପାକ କାକର

କିନ୍ତୁ ଫୁଲଟି ଦେହରେ

ପୁଣିଥରେ ନେସି ହୋଇ ଯାଉଥାଏ ।

Image

 

ବିଭୋରପଣ

 

ମୋର ବିଭୋର ବିଶ୍ୱାସରେ

ତୁମ ମଧୁର ବିସ୍କୃତିର

ଛିଟା ଛିଟା ଦାଗ

ମେଘର ବାସ୍ନାରେ

ନିଦେଇ ଯାଇଥିବା ତୁମର

ସ୍ନେହ ଛଳ ଛଳ ପଣ

ମତେ ଆଉଁଷି ଅଣ୍ଡାଳି

ଛେଚିକୁଚି ମୋ ଅସ୍ତିତ୍ୱରେ

ଲୁହରେ ବତୁରିଯାଏ

ସ୍ୱପ୍ନଟିଏ ହାଇମାରେ

ସଦ୍ୟସ୍ନାତା ଅକ୍ଷତଯୌବନାର

ରାଜକୁମାର ପ୍ରେମ କାହଣୀର

ମେଣ୍ଢା ପାଳୁଥିବା ଦୃଶ୍ୟର

ବୁଢ଼ୀ ଅସୁରୁଣୀ ଭେଟ

ଆଉ ତା ଜୀବନ ନାଟିକାଟି

ପଞ୍ଜରୀଶୁଆ ପରି ହୁଏ ଛଟପଟ

ତୁମ ଉଦାର ଆଖିରେ

କାରୁଣ୍ୟର ମୂର୍ତ୍ତିମନ୍ତ ଶୋକ

ମତେ ଅନ୍ତରଙ୍ଗ ବିଭୋର ପଣରେ

ଆହୁର ଉଜ୍ଜଳ କରିଦିଏ

ସ୍ୱପ୍ନମୟୀ ଦୃଦୟ ମୋର

ତୁମ ସୁଗନ୍ଧର ଚିତ୍ରମୟ ଡେଣାରେ

ମୋ ଅସ୍ତତ୍ୱର ଚିତ୍ରିତ ରଙ୍ଗଶାଳା

ମହକିତ ଉଦ୍‌ଭାସିତ

ଗୁଣୁଗୁଣଉଥାଏ ଅସରା ସଙ୍ଗୀତ

ଇଏ ମୋର ଆବରଣ ନୁହେଁ

ଗୁମର ଅଭିମାନଟି

ସ୍ୱପ୍ନରେ ଗୁମୁରି ଉଠୁଥାଏ

ତୁମ ନିଃସଙ୍ଗ ଅସହାୟତାକୁ

ଲୁହ ଆଉ ନିଃଶ୍ୱାସରେ

ପୋଛି ଦେବା ପାଇଁ

ସବୁବେଳେ

ଅପେକ୍ଷା କରୁଥାଏ ।

Image

 

ଅନୁରାଗ

 

ତୁମେ କାହାକୁ କେମିତି

ଅନୁରାଗର ରଙ୍ଗରେ ଭରିଦିଅ ବୋଲି

ମାପିପାରେ ନାହିଁ

ତୁମ ଝିକିମିକି ମନର ଗଭୀରତା

ରାଶିରାଶି ଲୁହର କାକରରେ

ତୁମ ଭଲପାଇବାର

ସ୍ୱପ୍ନତକ ମିଳେଇଗଲେ

କାହା ପାଖରେ ହାତପାତି

ତୁମ ପ୍ରୀତିପୂର୍ଣ୍ଣ ଅଭିସାରକୁ

ପୁଣିଥରେ

କେମିତି ମାଗିବି କୁହ ?

 

ସବୁ ଲୁହ ତ ବାଣ୍ଟି ଦେଇଛ

ପ୍ରେମ ସବୁ ଆଶ୍ଳେଷି ନେଇଛ

ମହକ ଭିତରେ ନିଜେ ମହକୁଛ

ତଥାପି ଅଲୋଡ଼ା ଆତ୍ମା ମୋର

ତମେ ଲିଭେଇ ଦେଇଥିବା

ଅକ୍ଷର ଭିତରୁ

କାନ୍ଦକାନ୍ଦ କଣ୍ଠମାନଙ୍କରୁ

ଆଶାଟିଏ ନେଇ

ଆକୁଳ ଅସ୍ଥିର ପଣରେ

ଅପେକ୍ଷା କରିଛି

ତମେ ଆସିବ ନିଶ୍ଚେ ଆସିବ

ଧୂଆଁ, ଧୂଳି, ବାସ୍ନାର

କୁହୁଡ଼ି ଭିତରେ

ସର୍ଜନାର ପ୍ରତିଟି ଶବ୍ଦରେ

ମୋହମଗ୍ନ ଆତୁର

ଆଙ୍ଗୁଠିର ମାତାଲ୍‌ପଣରେ ।

Image

 

ମେଘ

 

ମେଘଉଠେ ପାହାଡ଼େ ପାହାଡ଼େ

ଗଛରେ ବୃଚ୍ଛରେ ଛାଇ ଆଲୁଅରେ

ମେଘ ମୁହଁ ଥମ୍‌ଥମ୍‌

ଲୁହ ଝରିବକି ସତେ

ଅସ୍ଥିର ଆଲିଙ୍ଗନର ଇଷିକାରେ

ମେଘ ଚୁମେ ବିଜୁଳିର ଓଠ

ଟୋପାଟୋପା ବର୍ଷାବିନ୍ଦୁ

ଝରିପଡ଼େ ନଦୀ ସମୁଦ୍ରରେ

ଲୁହ ଆଉ ଝରାନାରେ ମେଘ

ଲୁହ ତ ବତୁରିବତୁରି

ବର୍ଷାର ଅତରରେ କେବେଠୁ ମହକୁଚି

ଭୂଇଁରୁ ସାଉଁଟିଲେ

ଯେତେ କାଠିକୁଟା

ଗୋଡ଼ିପଥର

ସେ ସବୁ ବାମ୍ଫ ହୋଇ

ଲୁହରେ ତରଳୁଛି

ନୀରବ ନିଷ୍କମ୍ପ ହାତେ

ମେଘ ସ୍ୱପ୍ନର

ଆତୁର ଆଗ୍ରହକୁ

ସାଉଁଟିନିଏ

ସେଇତକ ନିଜ ଭିତରେ

ଜଡ଼େଇ ନେଲା ବେଳକୁ

ଓଦା ଓଦା ନିଃଶ୍ୱାସରେ

ଟୋପାଏ ବର୍ଷା ପାଇଁ ତ

ମୋ ମଲା ଆତ୍ମାଟା

ହଠାତ ମହକୁଚି ।

Image

 

ଭୂମିକା

 

ନାରୀର ଭୂମିକାଟି

କ୍ଷତବିକ୍ଷତ ସଂସ୍କାର ଭିତରୁ

ପ୍ରଶ୍ନବାଚୀ ହେବାକୁ

ବାଧ୍ୟହୁଏ

ପ୍ରେମିକ, ବାପ, ପତି ପୁରଷର

ସ୍ୱାର୍ଥପର ଅହଂକାର ଖୁଣ୍ଟରେ

ବନ୍ଧା ହୋଇ ରହିବା

ତା’ର କପାଳଲିଖନ

ସୀତା, ଦୌପଦୀ, ଅହଲ୍ୟା, ଦୁର୍ଗା

ସବୁରି ଭାଗ୍ୟ ସେଇ

ଅଦୃଶ୍ୟ ପୁରୁଷପଣର

ତିଆରି ଲୁହା ଶିକୁଳିରେ

ବନ୍ଧା ପଡ଼ିଛି

ଯଦି କେହି କିରଣବେଦୀ, ମେଧା,

ତସ୍‌ଲିମା, ଫୁଲନ୍‌ କି

ଅପରାଜିତା, ସବାନା

ତୁଳସୀ ମୁଣ୍ଡା, ସୁମନ ଝୋଡ଼ିଆ

ସକଳ ମିଛ

ଅସତ୍ୟ ଅବିଚାରକୁ

ଫୁତ୍‌କାରରେ ଉଡ଼େଇ ଦେବାର

ଦମ୍ଭର ଛିଡ଼ା ହୁଅନ୍ତି

ସେତେବେଳେ ଧୂଳି ଜମିଯାଇଥିବା

ପୁରୁଷ ପ୍ରଭୃତ୍ୱର ଅଧିକାର

ଖଣ୍ଡଖଣ୍ଡ ହୋଇ

ଖସିପଡ଼େ

ତଥାପି....ତଥାପି

କଣ୍ଟାକୁ ବରଣ

କରିଥିବା ପାଉଁଶକୁ

ନିଜର ଅନ୍ତିମ ଇଚ୍ଛାର

ତିଳକ ବୋଲି ଗ୍ରହଣ କରିଥିବା

ନାରୀର ଦେହ

ଏ ଖଣ୍ଡିତ ମଣିଷମାନଙ୍କ ପାଇଁ

ଆହୁରି ଲୋଭନୀୟ

ମନେହୁଏ

ରାଜନୈତିକ ପଶାପାଲିରେ

ନାରୀର ଉପସ୍ଥିତ

କ୍ଷମତାର ମଙ୍ଗୁଆଳମାନଙ୍କର

ହୃତ୍‌କମ୍ପନ କରାଏ

ଯଦି ଲକ୍ଷ୍ମୀ, ଅନିତା, ସୁକେଶିନୀ

ପାଟି ଖୋଲିବା

ଆରମ୍ଭ କରନ୍ତି

ସବୁ ଅପମାନ ତିରସ୍କାରର

ଜାବବ୍‌ ମାଗନ୍ତି

ସେତେବେଳେ

ମାତୃଗର୍ଭର ଅନନ୍ତ ଶୋଷକୁ

କେଉଁବାଟେ ଅସ୍ୱୀକାର କରିବ ?

ତୁମର ସବୁ ପୋଥି, ଧର୍ମ, ବାରଣ

ନୀତି, ନିୟମକୁ

ଗୋଟିଏ ଫୁତ୍‌କାରରେ

ଉଡ଼େଇ ଦେଇ

ପ୍ରଳୟର ସୁଅରେ

ପତତ ଖଣ୍ଡକରେ

ପୁଣି ଏକ ଗର୍ଭବତୀ ମୁହୂର୍ତ୍ତକୁ

ସମସ୍ତ ଅଲୋଡ଼ାପଣରୁ

ଜୀଆଇଁ ଦେବାର

ବିଡ଼ମ୍ବିତ ପ୍ରୟାସ କରୁଥିବ ।

Image

 

ଅମରୀଲଟା

 

ଅମରୀଲଟା

ଯେତେମରେ

ସେତିକି ଜୀଏଁ

ଜୀବନ ସେମିତି

ଭୁଲିବାର ବାହାନାଖୋଜେ

ମରୁମରୁ ପୁଣି ଜୀଇଁବାର

ଆରଣ୍ୟକ ତୃଷାରେ

ଅସ୍ଥିର ହୁଏ

ବାହାନା କ’ଣ କି

ମୁହଁ, ଦେହ, ସ୍ୱପ୍ନର

ଓଦା ଓଦା ବହଳ

ଅନ୍ଧାର

କାହା କାନ୍ଧରେ ଭାରଦେଇ

ସେଇ ଅନ୍ଧାରର

ଚୁମ୍ବନକୁ ଶୋଷିନେବାର

ମିଛିମିଛିକା ଖେଳ

ସ୍ୱପ୍ନରେ ନିଛାଟିଆ

ପାହାନ୍ତି ପହରେ

କୁହୁଡ଼ିରେ ଉବୁଟୁବୁ

ସକଳ ସ୍ମୃତିରେ ନିଃଶ୍ୱାସର ନିଆଁ

ଖେଳେଇଯାଏ

ଘରଭାଙ୍ଗିଗଲେ ଉଜୁଡ଼ିଗଲେ

କି ବଣ ପୋଡ଼ିଗଲେ

ଆଖିରୁ ପାଣି ମରେନି ଖାଲି

ଟୋପେପାଣି ବିନା

କଅଁଳୁଥବା ଚାରା ଗଛଟିର

ଫୁଲଫୁଟା ଆଶା ଟିକକ ବି

ମଉଳିଯାଏ

ଦୁବଘାସଟେ ପାଦତଳେ

ମକ୍‌ଚିଗଲେ କି

ଦଳି ହୋଇ ଛିନ୍ନ ଛତର ହୋଇଗଲେ ବି

କାହାର ନା କାହାର

ସୁସଜ୍ଜିତ ଇଚ୍ଛାରେ ଇଚ୍ଛାମୟୀ

ହେଉଥାଏ ବାରବାର

ପୁଣିଦିନେ ମେଘଢ଼ଙ୍କା ଆକାଶର ପଣତରୁ

ବତୁରା ବର୍ଷାର କଅଁଳିଆ

ଟୋପା ତା ଦେହରେ ବର୍ଷିଯିବ

ଋତୁମତି ଅଭିସାରିକା ସାଜିବାକୁ

ରମିବାକୁ ରମଣରେ ମାତିବାକୁ

ଚୁମିବାର ଲୋଡ଼ିବା ପଣରେ

ପୁଣିଥରେ ଫୁଲଟିଏ

ନିଶ୍ଚେ ଫୁଟାଇବ ।

Image

 

ବିଚାରକର

 

ତମେ ଯେଉଁ ଲକ୍ଷ୍ମଣଗାର

ମୋ ଭାଗ୍ୟରେ ଟାଣିଦେଲ

ଯେତିକି ଇଞ୍ଚଜାଗାରେ

ରହିବା ପାଇଁ ଆଦେଶ ଦେଉଛ

ମୁହଁକୁ ତଳକୁ କରି

କାହାକୁ ନ ଚାହିଁବାକୁ ମଣ ଶିଖେଇଛ

ସେ ସର୍ତ୍ତ ମୁଁ ଆଜନ୍ମରୁ ମାନିଛି

ମୋ ଅଣ୍ଟିରେ

ସାଇତାଥିବା ସୁଖ ଦୁଃଖ

ମୁଠିକୁ କେତେବେଳେ

ଖୋଲିବାକୁ ଚେଷ୍ଟାକଲେ

ତମର ଲୋମଶ-ଜାନ୍ତବ ଆଖିର

ନିଆଁରେ ମୁଁ କାକୁସ୍ଥ ହୋଇପଡ଼େ

କିଏ ଜାଣେ ତମେ ପୁଣି

ମତେ କଲବଲ

ଘୋଷଡ଼ାରେ ଆଣି

କାଠଗଡ଼ାରେ ଠିଆ କରିଦେବ

ରାସ୍ତାସାରା ଲୋକଭର୍ତ୍ତି

କେହିହେଲେ

ମୋ ଆଡ଼କୁ ହାତଟିଏ ବଢ଼ାଇ ନ ଥିବେ

ମୋ ବାଳକୁ ଟାଣି ଟାଣି

ଲାତ ଗୋଇଠାରେ ଲୁହ ଲୁହାଣକରି

ତମେ ପୁରୁଷପଣର

ଅହଂରେ ସାବଡ଼୍‌ କରୁଥିବ

ହେ ବିଚାରକ ମହାମହିମ ।

ତମେ ସାକ୍ଷୀ ମିଛପ୍ରମାଣ

ମିଛ ଦ୍ୱାହିଦେଇ

ମତେ ବାରମ୍ବାର ଲାଞ୍ଛିତ ଅପମାନିତ କରି

ଯେଉଁ ଦଣ୍ଡାଦେଶ ଶୁଣାଇବ

ତାହା ମୁଁ କେବେଠୁ ଜାଣିଛି

ଏତିକି ମାଗୁଣି, ଯଦି ପାର

ଏତିକି କର ହେ ନ୍ୟାୟାଧିଶ !

ଲେଖିଦିଅ ତୁମ ମୋଟା ମୋଟା

ଆଇନ୍‌ ବହିରେ

ନାରୀକୁ ମଣିଷ ବୋଲି ନ ବିଚାରିଲେ

ତା’ ଉପରେ ପୁରୁଷଗଣର

ପରିବାରଚାପର ସମସ୍ତ

ଅମାନୁଷିକ ଅକଥନୀୟ

ଅତ୍ୟାଚାର ପରେ ବି ଧର୍ଷଣ କଲେ

କି ଅଶ୍ଳୀଳ ଭାବରେ

ଖିନ୍‌ଭିନ୍‌ କଲେ ମଧ୍ୟ

ତାହା ଅପରାଧ ନୁହେଁ

ନାରୀ ତ ପୋଷାମନା ଜନ୍ତୁଟେ

ତା’ ପାଇଁ ଗୋଟେ ବିଚାର କ’ଣ

ସେ ତ ଦଣ୍ଡପାଇବା ପାଇଁ ହକ୍‌ଦାର

ତେଣୁ ସବୁ ମଣିଷପଣିଆକୁ

ମାରିଦେଇ ଫାଶୀଦଣ୍ଡ ନିହାତି ଶୁଣାଅ !

Image

 

ଖୋଲିବ କହୁଛିପରା

 

ଖୋଲୁଛି ଖୋଲୁଛି ବୋଲି

କେତେଥର ଭିତରୁ କହିଲିଣି ଯେ

ଟିକେ ବି ତମେ ରହୁନ

କଲିଂ ବେଲ୍‌ ଚିପୁଛ ଯେ ଚିପୁଛ

ଜାଣିଛ !

ଏଠି କେତେକାମ

ସବୁସୂତା ଆଡ଼ୁଆ ତାଡ଼ୁଆ

ଗୁନ୍ଥିବାକୁ ବସିଗଲେ

ଛେଚିକୁଚି ହୋଇ

ସ୍ୱପ୍ନର ହିଡ଼ସବୁ ଭାଙ୍ଗିଯାନ୍ତି

ଟିକେ ରୁହଭଲା !

ମିଛଟାରେ ଏତେ ହଲ୍ଲାପଟା କାହିଁକି କରୁଛ

ଛୁଙ୍କଟିକେ ଦେଇଦିଏ ଦହିବାଇଗଣରେ

ମାଛବେସରଟା ଜୁକୁଜୁକିଆ ହୋଇଗଲାଣି

ତମର ପୁଣି କେତେ ବରାଦ

କେତେ ରଜଘଷ, ଫରମାଇସ୍‌

ପିଲାଙ୍କ ଭଳି ଏମିତି କ’ଣ

ହେଉଛ ଯେ...

ଆରେ ! ଛାଡ଼’ମ

କିଏ ଦେଖିବ ସେ ଝର୍କାପଟୁ

ଦ୍ୱାରାଟା ଠିଆ ମୁକୁଳା ଯେ

ଆଜି କ’ଣ ତମେ ଖାଲି

ଅମାନିଆ ହେଉଥିବ

ତୁମ ପୁରୁଷପଣର ଅନ୍ତରଙ୍ଗତାରେ

ଛୁଇଁ ଛେଚି କବାଡ଼ି

ମତେ ଆକୁଳ ଅସ୍ଥିର କରୁଥିବ

ମୋ ସୁନାଟା ପରା

ଟିକେ ଭଲା କଥା ମାନ

ଜାଣିଛ କୋକବିନା

ଆସିବ, କାନକାଟି ଦେବ

ମୁଁ ଜାଣେ ପରା ତମେ ଆଜି ଚୁପ୍‌ ହେବନି

ହେଲେ ତୁମ ଚୁପ୍‌ ହେବା ଯେ

କେବେଠୁଁ ବନ୍ଦହୋଇ ଯାଇଛି

କିଏ କିଏ ସାହିପଡ଼ିଶାରେ କହୁଥିଲେ

ସତରେ ତମେ ଆଉ ଆସିବନି

କି ମତେ ଆଉ ଭଲପାଇବନି ।

Image